Latest Odisha News

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ; ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଓଡ଼ଣଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ।

ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା। ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା। ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା। ଏହାପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା। ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଇଥିଲା।

ଆଜି ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ, ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯିବ । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ ।

ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ରବିବାର ଷଷ୍ଠୀ ଅବସରରେ ଲାଲ ରଙ୍ଗର ଘୋଡ଼ ଲାଗି କରାଯିବ । ମଖଲମ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ଵାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା।

ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ ବୋଲି ମତ ଦିଅନ୍ତି ଗବେଷକ।

Comments are closed.