Latest Odisha News

BREAKING NEWS

ବିଦେଶ ମାଟିରେ ଓଡ଼ିଆ ପୁଅ ଏହେସାସ୍ ହୋତାଙ୍କ କମାଲ

ସୋନପୁର: ବିଦେଶ ମାଟିରେ କମାଲ ଦେଖାଇଲେ ଓଡ଼ିଆ ପୁଅ। ଜି-୧ ଓପନ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ହାତେଇ ସୁବର୍ଣ୍ଣପୁର ମାଟି ପାଇଁ ଗୌରବ ଆଣିଛନ୍ତି ଏହେସାସ୍ ହୋତା।

ୟୁରୋପ ଆଲବାନିଆଁର ତିରୋନାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜି-୧ ଓପନ ଇଣ୍ଟରନ୍ୟାସନାଲ ଚମ୍ପିଆନସିପ୍। ଏଥିରେ ଭାରତର ୧୩ଜଣିଆ ଟିମ୍ ଯୋଗଦେଇଥିଲେ। ସେଠାରେ ଭାରତୀୟ ଦଳ ଗୋଟିଏ ମାତ୍ର ବ୍ରୋଞ୍ଜ ପଦକ ଜିଣିଥିବାବେଳେ ତାହା ଯାଇଥିଲା ଏହେସାସଙ୍କ ଖାତାକୁ। ସେ ପ୍ରଥମ ରାଉଣ୍ଡରେ ଗ୍ରୀସ୍ ଓ ଦ୍ୱିତୀୟ ରାଉଣ୍ଡରେ ସାଇପ୍ରସ ଦେଶର ଖେଳାଳୀଙ୍କୁ ମାତ ଦେଇଥିଲେ। ମାତ୍ର ତୃତୀୟ ରାଉଣ୍ଡରେ ଇଟାଲୀର ନିକୋଲାସ ଲେଗେରିସଙ୍କଠାରୁ ପରାଜୟ ବରଣ କରିବା ସହ ବ୍ରୋଞ୍ଜ ପଦକ ଜିଣିଥିଲେ।

ଏହେସାସ୍ ଏକମାତ୍ର ଭାରତୀୟ ହିସାବରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ମେଡ଼ାଲ ଜିଣି ସମଗ୍ର ଭାରତ ବର୍ଷ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ଏହେସାସ ୨ଟି ଆନ୍ତର୍ଜାତୀୟ, ୨ଟି ଓପନ ବିଶ୍ୱ ଚମ୍ପିଆନସିପ୍, ୨ଟି ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ସହ ଅନେକ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମେଡ଼ାଲ ଆଣିଛନ୍ତି। ଏହେସାସ୍ ଏବେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଅଛନ୍ତି। ମେଡ଼ାଲ ଜିଣି ଏହେସାସ୍ ନିଜ ଜନ୍ମମାଟି ବୀରମହାରାଜପୁରକୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ସହ ଓଡ଼ିଶା ତାଇକୋଣ୍ଡୋ ସଂଘ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave A Reply

Your email address will not be published.