Latest Odisha News

କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ନିଖୋଜ

ୱାୟନାଡ: ଦେବଭୂମୀ କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। କେରଳ ୱାୟନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍‌ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ ପରଠାରୁ ମିଳୁନି ୨ ଓଡିଆ ଡାକ୍ତରଙ୍କ ପତ୍ତା । ନିଖୋଜ ଓଡ଼ିଆ ପୁଅ ୨ ଜଣ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଏବଂ ଡାକ୍ତର ସ୍ଵାଧିନ ପଣ୍ଡା । ଅନ୍ୟପଟେ ପୁଅ ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ତାଙ୍କ ବାପା ଅମର ଚିନାରା।

ସୂଚନା ଅନୁସାରେ, ତାଙ୍କ ପୁଅ ବିଷ୍ଣୁପ୍ରସାଦ ଚିନାରା ଓ ବୋହୁ ପ୍ରିୟଦର୍ଶିନୀ ପାଲ ତାଙ୍କର ୨ ବନ୍ଧୁ ସ୍ଵାଧିନ ପଣ୍ଡା ଏବଂ ତାଙ୍କ ପତ୍ନୀ ସ୍ଵୀକୃତି ମହାପାତ୍ରଙ୍କ ସହ ବୁଲିବା ପାଇଁ ଗତ ୨୬ ତାରିଖରେ କେରଳ ଯାଇଥିଲେ । ଗତକାଲି ରାତିରେ ହୋଇଥିବା ଭୂସ୍ଖଳନରେ ଏହି ୪ ଜଣ ଭାସିଯାଇଥିଲେ । ତେବେ ପ୍ରିୟଦର୍ଶିନୀ ପାଲ ଓ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଷ୍ଣୁ ପ୍ରସାଦ ଏବଂ ସ୍ଵାଧିନଙ୍କ କୌଣସି ପତ୍ତା ମିଳୁନାହିଁ ।

ସୂଚାନାଯୋଗ୍ୟ ଯେ, ସୂଚନା ଅନୁସାରେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଏଯାବତ୍ ୧୦୦ରୁ ଉର୍ଦ୍ଧ୍ଵ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି ।

 

Comments are closed.