ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ ।
ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ ସମ୍ବଲପୁର ସାର୍ଟ ସହ ଖୋର୍ଦ୍ଧା ଗାମୁଛା ସହ ନଜର ଆସିଥିଲେ । ଏଥିସହ ସେ ସେଠାରୁ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ପ୍ରାୟ ସକାଳ ୯ଟାରେ ସିଦ୍ଧାର୍ଥ ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚି ଥିଲେ ।
ଏଲବ୍ରସ ଲାଗି ଏପ୍ରିଲ୍ ୨୪ର ଯାତ୍ରା ଆରମ୍ଭ କରିଥିଲେ ସିଦ୍ଧାର୍ଥ । ୨୫ ତାରିଖରେ ଅନ୍ୟ ୨ ଜଣ ପର୍ବତଆରୋହଣକାରୀ ଓ ଗାଇଡଙ୍କ ସହ ବାହାରିଥିଲେ । ୨୭ ତାରିଖରେ ୧୨ ହଜାର ଫୁଟ୍ ଉଚ୍ଚରେ ପହଞ୍ଚିଥିଲେ । ସେତେବେଳକୁ ସେଠି ବରଫପାତ ହେଉଥିଲା । ୨୮ରେ ୧୩ ହଜାର ଫୁଟରେ ପହଞ୍ଚିଥିବା ବେଳେ ୨୯ରେ ଆଗକୁ ବଢ଼ିଥିଲେ । ସେତେବେଳକୁ ବରଫ ବର୍ଷା ବଢ଼ିବା ସହ ଦୃଶ୍ୟମାନ କ୍ଷମତା କମି ଆସୁଥିଲା ।
୩୦ ତାରିଖରେ ୧୫ ହଜାର ଫୁଟରେ ପହଞ୍ଚି ବିଶ୍ରାମ ନେଇଥିଲେ । ମେ ୧ରେ ରାତି ପ୍ରାୟ ୧୧ଟାରେ ଯାତ୍ରା ଆରମ୍ଭ କରି ବିଯୁକ୍ତ ୩୫ ଡିଗ୍ରୀ ତାପମାତ୍ରାରେ ୧୭ ହଜାର ୬୦୦ ଫୁଟରେ ଥିବା କ୍ୟାମ୍ପରେ ପହଞ୍ଚିଥିଲେ । ୨ ତାରିଖରେ ପାଗରେ ପରିବର୍ତ୍ତନ ଆସିବା ସହ ୩ ତାରିଖରେ ଯାତ୍ରା ଆରମ୍ଭ କରିବା ସହ ସକାଳ ୯ଟାରେ ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିଥିଲେ ସିଦ୍ଧାର୍ଥ ରାଉତରାୟ ।
Comments are closed.