ଭୁବନେଶ୍ୱର: ବଡ଼ ପରଦାକୁ ଖୁବଶୀଘ୍ର ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ପେନ୍’ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍ସ କାର୍ଯ୍ୟ ଶେଷ ହୋଇଆସିଲାଣି । ଅକ୍ଟୋବର ୧୩ରେ ରିଲିଜ୍ ହେବ ଫିଲ୍ମ “ଡଟପେନ୍” । ଜଣେ ସାଇକୋ କିଲରର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ଫିଲ୍ମରେ ନଜର ଆସିଛନ୍ତି । ଏବେ ଜଣେ ସାଇକୋ କିଲର ଭୂମିକାରେ ଅଭିନୟ କରିଛନ୍ତି । ଏଭଳି ବିଷୟବସ୍ତୁକୁ ନେଇ ପ୍ରଥମ ଥର ଓଡ଼ିଆ ଫିଲ୍ମ ନିର୍ମାଣ କରାଯାଇଛି ।
ଫିଲ୍ମ ଡ଼ଟ୍ପେନ୍ର ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ । କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ୱର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରକାଶ ପାଢ଼ୀ ଓ ଅର୍ପିତା । ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ କାମାକ୍ଷାନଗରରେ ହୋଇଛି ।
ଏହି ଫିଲ୍ମର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ୱିନୀ ତ୍ରୀପାଠି,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ,ସ୍ୱୟଂପ୍ରକାଶ ପାଢୀ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଅଭିନେତା ଜ୍ୟୋତି, ଅଙ୍କିତ, ରୋହନ ଗର୍ଗ ,ସନ୍ତୁ ,ଶକ୍ତି ବରାଳ,ପ୍ରିତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।