Latest Odisha News

୨୦୧୧ରେ ଭାରତ ହୋଇଥିଲା ପୁନର୍ବାର ବିଶ୍ୱବିଜେତା.. ୧୨ ବର୍ଷ ପରେ ହାତମୁଠାରେ ସୁଯୋଗ

୨୦୧୧ କ୍ରିକେଟ ବିଶ୍ୱକପକୁ କିଏ ବା ଭୁଲିପାରିବ । ଦୀର୍ଘ ୨୮ ବର୍ଷ ପରେ ଭାରତ ପୁନର୍ବାର ବିଶ୍ୱବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ମାଷ୍ଟର ବ୍ଲାଷ୍ଟରଙ୍କୁ ମିଳିଥିବା ଅଭୂଲା ଭେଟି ଆଉ ମହେନ୍ଦ୍ର ସିଂ ଧୋନୀ ସାଜିଥିଲେ ଭାରତୀୟ ପ୍ରଶଂସକଙ୍କ ହୀରୋ । ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ କମ ହେବ । ଧୋନୀଙ୍କ ମ୍ୟାଚ ବିଜୟୀ ଛକା ଏବେ ବି ମନରୁ ଲିଭୁ ନାହିଁ । ଏହା ପରେ ୨୦୧୫ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୯ରେ ନ୍ୟୁଜିଲାଣ୍ଡ ହାରି ଭାରତ ବିଶ୍ୱକପରେ ତାର ଅଭିଯାନ ଶେଷ କରିଥିଲା । ଏବେ ପୁନର୍ବାର ସ୍ୱର୍ଣ୍ଣିମ କ୍ଷଣ ଉପନୀତ ହୋଇଛି । ଘରୋଇ ପରିବେଶରେ ଭାରତ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି । ଭାରତ ଏକାକୀ ଏଥର ବିଶ୍ୱକପ ଆୟୋଜିତ କରୁଛି ।

୨୦୧୧ରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ ମିଳିତ ଭାବେ ଏହି ବିଶ୍ୱକପ ଆୟୋଜିତ କରିଥିଲେ । ପାକିସ୍ତାନ ସାମିଲ ଥିଲେ ମଧ୍ୟ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆକ୍ରମଣ ହେବା ପରେ ଅନ୍ୟ ଦେଶ ସେଠାକୁ ଯିବା ପାଇଁ ମନା କରି ଦେଇଥିଲେ । ପିସିବିର ବହୁତ କ୍ଷତି ହୋଇଥିଲା । ଏହି ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିଥିଲେ । ଭାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା । ଗ୍ରୁପ ଏରେ ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜିମ୍ବାୱେ, କେନିୟା ଓ କାନାଡା ରହିଥିବା ବେଳେ ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଆୟର୍ଲାଣ୍ଡ ଓ ନେଦରଲାଣ୍ଡ ଟିମ ସାମିଲ ଥିଲେ ।

ଲିଗ ପର୍ଯ୍ୟାୟ ପରେ ଗ୍ରୁପ ଏରୁ ପାକିସ୍ତାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଗ୍ରୁପ ବିରୁ ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ୱେଷ୍ଟଇଣ୍ଡିଜକୁ ହରାଇ ପାକିସ୍ତାନ, ଅଷ୍ଟ୍ରେଲିଆକୁ ହରାଇ ଭାରତ, ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ପରାସ୍ତ କରି ଶ୍ରୀଲଙ୍କା ସେମି ଫାଇନାଲରେ ପ୍ରବେଶ କରିଥିଲା ।

ବିଶ୍ୱବିଜୟୀ ହେବା ପାଇଁ ଭାରତକୁ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ ହେଉଥିଲା । ଆଉ ସେମିଫାଇନାଲରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୬୦ ରନ କରିଥିଲା । ଜବାବରେ ପାକିସ୍ତାନ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂକୁ ସାମ୍ନା କରି ନ ପାରି ୨୩୧ ରନରେ ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।

ଭାରତ-ଶ୍ରୀଲଙ୍କା ଫାଇନାଲ ୱାଙ୍ଖେଡରେ ଖେଳା ଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୭୫ ରନର ଲକ୍ଷ୍ୟ ରଖିଥିଲା । ଭାରତ ଆରମ୍ଭରୁ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ୱିକେଟ ହରାଇ ବିପଦରେ ପଡିଥିଲା । ମାତ୍ର ଏହା ପରେ ଗୌତମ ଗମ୍ଭୀର ଓ ବିରାଟ କୋହଲି ଇନିଂସ ସମ୍ଭାଳିଥିଲେ । କୋହଲି ଆଉଟ ହେବା ପରେ ଗମ୍ଭୀର ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତ ବିଜୟରେ ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଗମ୍ଭୀର ୯୭ ଓ ଧୋନୀ ୭୯ ବଲରେ ୯୧ ରନ କରିଥିଲେ । ଭାରତ ଚାମ୍ପିୟନ ହେବା ପରେ ଭେଟେରାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ କାନ୍ଧରେ ବସାଇ ବୁଲାଇଥିଲେ । ଆଉ ସେଦିନ ସବୁ ଭାରତୀୟଙ୍କ ଛାତି ଚଉଡା ହୋଇଥିଲା ।

ସେହ୍ୱାଗ-କୋହଲି ଧମାକା: ୨୦୦୭ ବିଶ୍ୱକପରେ ବାଂଲାଦେଶଠାରୁ ପରାଜୟ ଭାରତ ମନରୁ ଲିଭି ନ ଥିଲା । ୨୦୧୧ରେ ଟିମ ଇଣ୍ଡିଆ ଏହାର କଡା ଜବାବ ଦେଇଥିଲା । ଏହି ମ୍ୟାଚରେ ଲାଗିଥିଲା ଦିଲ୍ଲୀ ତଡକା । ବୀରେନ୍ଦ୍ର ସେହ୍ୱାଗ ୧୪୦ ବଲରେ ୧୭୫ ଓ ବିରାଟ କୋହଲି ୮୩ ବଲରେ ୧୦୦ ରନ କରିଥିଲେ । ବାଂଲାଦେଶ ସମ୍ମୁଖରେ ଭାରତ ୩୭୧ ରନର ଲକ୍ଷ୍ୟ ରଖିଥିଲା । ବାଂଲାଦେଶ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା ।ଯୁବିଙ୍କ ଅଲରାଉଣ୍ଡ ପ୍ରଦର୍ଶନ: ୨୦୧୧ ବିଶ୍ୱକପରେ ଭାରତ ବିଜୟୀ ହେବା ପଛରେ ଯୁବରାଜ ସିଂଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୪ଟି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ୩୬୨ ରନ ଓ ୧୫ ୱିକେଟ ଅକ୍ତିଆର କରିଥିଲେ ।
କ୍ୱାର୍ଟରରେ ଯୁବି-ରାଇନା କମାଲ: କ୍ୱାର୍ଟର ଫାଇନାଲରେ ଯୁବରାଜ ସିଂ ଓ ସୁରେଶ ରାଇନା ଭାରତ ପାଇଁ ମ୍ୟାଚ ବିଜୟୀ ପାର୍ଟନରଶିପ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୬୧ ରନର ଲକ୍ଷ୍ୟ ରଖିଥିଲା ।

ସଚିନ ତେନ୍ଦୁଲକର ୫୩ ଓ ଗୌତମ ଗମ୍ଭୀର ୫୦ ରନ କରି ଭାରତକୁ ଭଲ ସ୍ଥିତିରେ ପଂହଚାଇଥିଲେ । ହଠାତ ୧୮୭ ରନରେ ଭାରତ ୫ଟି ୱିକେଟ ହରାଇ ବିପଦରେ ପଡିଥିଲା । ଯୁବରାଜ ୫୭ ଓ ରାଇନା ୩୪ ରନ କରି ନଟ ଆଉଟ ରହିବା ସହ ଭାରତକୁ ବିଜୟୀ କରାଇଥିଲେ । ଏହା ବ୍ୟତୀତ ପାକିସ୍ତାନ ବିପକ୍ଷ ସେମିରେ ଆରମ୍ଭରୁ ବୀରେନ୍ଦ୍ର ସେହ୍ୱାଗଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ହରଭଜନ ସିଂଙ୍କ ବୋଲିଂରେ ଡବଲ ଷ୍ଟ୍ରାଇକ ଭାରତକୁ ଫାଇନାଲରେ ପ୍ରବେଶ କରାଇଥିଲା ।

Leave A Reply

Your email address will not be published.