ଯାଜପୁର: ଶନିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର ରଖିଛନ୍ତି। ଟପ୍ପର ହେବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୂଅ । ଭବିଷ୍ୟତରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି ସମ୍ଭାବନା ।
ସମ୍ଭାବନାଙ୍କ ନିଜ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ । ତେବେ ତାଙ୍କ ବାପା ଗୋପାଳ ଚନ୍ଦ୍ର ସାହୁ ପାଣିକୋଇଲି ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ନିଜ ସଫଳତାର ଶ୍ରେୟ ସମ୍ଭାବନା ନିଜ ପିତା ମାତାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।
ସେ କହିଛନ୍ତି ଯେ, ଭଲ ମାର୍କ ରଖିବେ ବୋଲି ଆଶା ଥିଲା । ସେ ଦୈନିକ ୧୦ରୁ ୧୨ ଘଣ୍ଟା ପାଠ ପଢୁଥିଲେ । ପରିବାର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ମିଳୁଥିଲା।
ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ରାପଡା ସରକାରୀ ଭୋକେସନାଲ ଜୁନିଅର କଲେଜର ମୈତ୍ରୀ ରାଉତ । ସେ ପରୀକ୍ଷାରେ ୬୦୦ରୁ ୫୪୧ ମାର୍କ ରଖିଛନ୍ତି ।
Comments are closed.