Latest Odisha News

BREAKING NEWS

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଶ୍ରେଷ୍ଠ ଜାତୀୟ ପଞ୍ଚମ ସରକାରୀ ବିଦ୍ୟାଳୟ ମାନ୍ୟତା 

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌) ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‌ରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରି ଏଜୁକେଶନ୍ ୱାଲ୍‌ର୍ଡ଼ ଇଣ୍ଡିଆ ସ୍କୁଲ୍ ର‌୍ୟାଙ୍କିଙ୍ଗ୍ ୨୦୨୦-୨୧ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ପଞ୍ଚମ ସ୍କୁଲର ମାନ୍ୟତା ପାଇଛି । ପ୍ରଥମ ଥର ପାଇଁ ଜାତୀୟ ଲିଗ୍ ଟେବୁଲ୍‌ରେ ପ୍ରବେଶ କରି ପଞ୍ଚମ ସ୍କୁଲର ମାନ୍ୟତା ସହ ଇତିହାସ ସୃଷ୍ଟି କରିଛି ।

ଗଞ୍ଜାମ ଜିଲ୍ଲାର ହାତିଓଟା ଏବଂ ବଲାଙ୍ଗୀର ଜିଲ୍ଲାର ପଥରଚେପା ଆଦର୍ଶ ବିଦ୍ୟାଳୟ ଦ୍ୱୟକୁ ଶ୍ରେଷ୍ଠ ପଞ୍ଚମ ସ୍କୁଲର ମାନ୍ୟତା ପ୍ରଦାନ କରାଯାଇଛି । ହାତିଓଟା ଆଦର୍ଶ ବିଦ୍ୟାଳୟରେ ୧୦୦% ପାସ୍ ହାର ଥିବାବେଳେ ସ୍କୁଲର ଆଭରେଜ୍ ସ୍କୋର ୮୧.୧୬ ରହିଛି । ୫ ଜଣ ଛାତ୍ରଛାତ୍ରୀ ୯୫% ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । ସେହିପରି ପଥରଚେପା ଆଦର୍ଶ ବିଦ୍ୟାଳୟରେ ୧୦୦% ପାସ୍ ହାର ଥିବାବେଳେ ସ୍କୁଲର ଆଭରେଜ୍ ସ୍କୋର ୭୮.୩୦ ରହିଛି । ୫ ଜଣ ଛାତ୍ରଛାତ୍ରୀ ୯୫% ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୧୩ ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । ସର୍ବଭାରତୀୟ ସ୍ତରରେ ର‌୍ୟାଙ୍କିଙ୍ଗ ହୋଇଥିବା ସ୍କୁଲ୍‌ଗୁଡ଼ିକ ସହରଗୁଡ଼ିକରୁ ହୋଇଥିବା ବେଳେ ଏହି ଦୁଇଟି ଆଦର୍ଶ ବିଦ୍ୟାଳୟ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଟେ ।

ଦିଲ୍ଲୀର ଏକ ଓପିନୟନ୍ ପୋଲ୍ ସଂସ୍ଥା ସି-ଫୋର ଗ୍ରୁପ୍ ୧୧୮ ଜଣ କର୍ମଚାରୀ ଏହି ସର୍ଭେ କରିଥିଲେ ଏଜୁକେଶନ୍ ୱାଲ୍‌ଡ଼୍ ଇଣ୍ଡିଆ ସ୍କୁଲ୍ ର‌୍ୟାଙ୍କିଙ୍ଗ୍ ୨୦୨୦-୨୧ ସର୍ବେକ୍ଷଣରେ ସମୁଦାୟ ୪୪୯୨ ଜଣ ଶିକ୍ଷାବିତ୍‌, ପ୍ରିନ୍ସପାଲ୍‌, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଯାହାକି ଭାରତ ବର୍ଷର ୨୮ଟି ପ୍ରମୁଖ ସହର ଓ ଶିକ୍ଷା କେନ୍ଦ୍ର ମାଧ୍ୟମରେ ଦେଶର ଶ୍ରେଷ୍ଠ ସରକାରୀ ସ୍କୁଲମାନଙ୍କୁ ଚୟନ କରାଯାଇଥିଲା । ଶିକ୍ଷକ କଲ୍ୟାଣ ଓ ବିକାଶ, ଏକାଡ଼େମିକ୍ ପ୍ରତିଷ୍ଠା, ଶିକ୍ଷକ ଦକ୍ଷତା, ନେତୃତ୍ୱ, ଭିତ୍ତିଭୂମୀ, ଜୀବନ କୌଶଳ, ସହ ପାଠ୍ୟକ୍ରମ ଓ କ୍ରୀଡ଼ା ଶିକ୍ଷା ପରି ୧୪ଟି ପାରାମିଟରକୁ ବିଚାରକୁ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଶ୍ରେଷ୍ଠ ପଞ୍ଚମ ସ୍କୁଲ୍ ଭାବେ ଚୟନ କରାଯାଇଥିଲା ।

ଚଳିତ ବର୍ଷ ୧୦୦ ଟି ଆଦର୍ଶ ବିଦ୍ୟାଳୟର ୫୪୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବଲାଙ୍ଗୀର ପଥରଚେପା ଆଦର୍ଶ ବିଦ୍ୟାଳୟର ସଂସ୍କୃତି ଖମାରୀ ସର୍ବାଧିକ ୯୮.୮% ମାର୍କ ରଖି ଟପ୍ପର, କଳାହାଣ୍ଡି ଜୁନାଗଡ଼ ଆଦର୍ଶ ବିଦ୍ୟାଳୟର ଭୁବନ ମେହେର୍ ୯୮.୬% ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ କେନ୍ଦୁଝର ଆନନ୍ଦପୁର ସାଲପଡ଼ା ଆଦର୍ଶ ବିଦ୍ୟାଳୟର ସଂଗୀତା ସଙ୍ଘମିତ୍ରା ନାୟକ ୯୭.୮% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗତ ବର୍ଷ ୭ଟି ଓଏଭିଏସ୍‌ର ଫଳାଫଳ ୧୦୦% ଥିବାବେଳେ ୨୯୫ ଜଣ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ, ୨୨୬୨ ଜଣ ପ୍ରତିଶତ ଛାତ୍ରଛାତ୍ରୀ ୬୦% ମାର୍କରୁ ଅଧିକ ରଖିଥିଲେ । ସର୍ବମୋଟ ୪୪୨୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ ହାର ରହିଥିଲା ୮୨.୦୯ ପ୍ରତିଶତ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସୀମର ଦାଶ ଏବଂ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡଃ ବିଜୟ କୁମାର ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.