Latest Odisha News

BREAKING NEWS

୨୫ ବର୍ଷ ପରେ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ମାସରେ ପଂଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତ୍ରୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ କରୋନା କଟକଣା ଯୋଗୁ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହେବେ ବୋଲି ଜଣାପଡିଛି।

ଉକ୍ତ ଦିନ ଭୋର ୬ ଟାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇ ସକାଳ ୭ ଟା ସୁଦ୍ଧା ଶେଷ ହେବ । ଅପରାହ୍ନ ୨ ଟା ରେ ବେଶ ଓଲାଗି ହେବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ପଡୁଛି ଶ୍ରୀଜୀଉମାନଙ୍କର ନାଗାର୍ଜୁନ ବେଶ।ଦୀର୍ଘ ୨୫ ବର୍ଷ ପରେ ଏହି ଦୁର୍ଲଭ ବେଶ ପଡୁଥିବା ବେଳେ ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଗତ ୧୯୯୩,୧୯୯୪ ମସିହାରେ ଲଗାତାର ଦୁଇ ଥର ମହାପ୍ରଭୁଙ୍କ ର ଏହି ବେଶ ଅନୁଷ୍ଠିତ ହୋଇଥିଲା।ତା ପରଠାରୁ ଆଉ ଏହି ବେଶ ହୋଇନଥିବା ବେଳେ ଚଳିତ ବର୍ଷ କାର୍ତ୍ତିକ ମାସରେ ପଂଚୁକର ତୃତୀୟ ଦିବସରେ ଏହି ବେଶ ବିଧି ମୁତାବକ ଅନୁଷ୍ଠିତ ହେଉଛି।

ବେଶ ପାଇଁ ବଜେଟରେ ସ୍ୱତନ୍ତ୍ର ଭାବେ ଅଧିକ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ବ୍ୟବସ୍ଥା କରାଯାଇଛି ।ତେବେ କରୋନା କାରଣରୁ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଚଳିତ ବର୍ଷ ବେଶ କେବଳ ବିଧି ମୁତାବକ କରାଯିବ ବୋଲି ନିଷ୍ପତି ହୋଇଛି । ଭକ୍ତମାନଙ୍କ ପାଇଁ ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଯିବା ପାଇଁ ଆସିଥିବା ପ୍ରସ୍ତାବକୁ ବୈଠକରେ ନାକଚ କରାଯାଇଛି ।

ତେବେ ଚଳିତବର୍ଷ ନାଗାର୍ଜୁନ ବେଶ ନିର୍ମାଣ ପାଇଁ ସବୁପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପ୍ରଦାନ କରିସାରିଛି।

ଦୀର୍ଘ ୧୦୦ ବର୍ଷରୁ ଅଧିକ ହେବ ବଂଶାନୁକ୍ରମିକ ସେବା ଭାବେ ଏହି ବେଶ ପ୍ରଦାନ କରି ଆସୁଥିବା ବଳରାମ ଖୁଣ୍ଟିଆଙ୍କ ପରିବାର ଏଥର ବେଶ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି। ବେଶ ପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପ୍ରାୟ ୪୦ ଶତକଡା କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.