ଭୁବନେଶ୍ୱର: ମିଶନ ୫୦ହଜାର କୋଭିଡ ଟେଷ୍ଟ ଦିଗରେ ଆଗକୁ ବଢୁଛି ଓଡିଶା । ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶା ।
ଦୈନିକ ଓଡିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୮୬୭ ଜଣଙ୍କ ଟେଷ୍ଟ କରାଯାଉଛି । ଏହି ଧାରାରେ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ୨୮୨୨ ଜଣଙ୍କର ଟେଷ୍ଟ ହେଉଥିବା ବେଳେ ଗୋଆରେ ୨୧୬୭, କେରଳରେ ୧୨୩୩ ଓ ତାମିଲନାଡୁରେ ୯୨୫ ଜଣଙ୍କର ପରୀକ୍ଷା ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୨ ହଜାର ୭୬୧ ଟେଷ୍ଟ ହୋଇଛି । ଗତ ୧୨ ତାରିଖରେ ପ୍ରାୟ ୪୦ ହଜାର ବ୍ୟକ୍ତିଙ୍କର ଟେଷ୍ଟ କରାଯାଇଥିଲା ।
କୋଭିଡ ଲଢେଇରେ ଟେଷ୍ଟି ହେଉଛି ପ୍ରମୁଖ ମାଧ୍ୟମ । ଯେତେ ଅଧିକ ଟେଷ୍ଟିଂ କରାଯିବ ସେତେ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ । ଯାହାଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା ରହିଛି ।
ଯେହେତୁ କରୋନା ପାଇଁ କୌଣସି ଟୀକା କିମ୍ବା ଔଷଧ ବାହାରି ନାହିଁ ତେଣୁ ଟେଷ୍ଟି ଦ୍ୱାରା ହିଁ ଲୋକଙ୍କ ଜୀବନ ବଞ୍ଚାଇ ହେବ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେଷ୍ଟି ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା କିପରି ଆହୁରି ଅଧିକ ବଢାଇ ହେବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଜନସାଧାରଣଙ୍କୁ ଅପିଲ କରିଥିଲେ ଯେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ । ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । ଲୋକଙ୍କ ସହଯୋଗ ରହିଲେ ଲଢେଇ ସମ୍ପୂର୍ଣ୍ଣ ହୋଇପାରିବ ।
Comments are closed.