Latest Odisha News

BREAKING NEWS

ଓଡ଼ିଶାର ମୋନା ବିଶ୍ବରୂପା ମହାନ୍ତିଙ୍କୁ ମିଳିଲା ଦୁବାଇର ‘ଗୋଲ୍ଡେନ୍ ଭିସା’

ଭୁବନେଶ୍ବର : ଓଡ଼ିଶା ଲାଗି ଗର୍ବ ଆଣିଲେ ମୋନା ବିଶ୍ବରୂପା ମହାନ୍ତି । ମୟୂରଭଞ୍ଜର ମୋନାଙ୍କୁ ମିଳିଛି ୟୁନାଇଟେଡ ଆରବ ଏମିରେଟସର ଗୋଲ୍ଡେନ ଭିସା । ଏହି ଭିସା ଯୋଗୁ ସେ ୧୦ ବର୍ଷ ଲାଗି ଦୀର୍ଘସ୍ଥାୟୀ ଯୋଜନାରେ ସେଠାରେ ରହିପାରିବେ । ଏହା ସହ ତାଙ୍କୁ ଅନ୍ୟାନ୍ୟ ସୁବିଧା ବି ମିଳିବ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ଏହି ଭିସା ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଜଣେ ବ୍ୟକ୍ତି ସେଠାରେ ରହି କୌଣସି ରାଷ୍ଟ୍ରୀୟ ପ୍ରାୟୋଜନ ବିନା ବିଭିନ୍ନ ଗବେଷଣା କରିପାରିବେ ।

BjdElectrycity

ଏହାସହ ୟୁଏଇରେ ନିଜର ୧୦୦ ପ୍ରତିଶତ ମାଲିକାନାରେ ବ୍ୟବସାୟ କରିପାରିବେ । ସରକାରଙ୍କ ଏହି ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ଭିସା ପ୍ରତି ୫ ବା ୧୦ ବର୍ଷରେ ସ୍ବୟଂକ୍ରିୟ ଭାବେ ନବୀକରଣ ହୋଇପାରିବ । ମୋନା ବିଶ୍ବରୂପା ହେଉଛନ୍ତି ପ୍ରଥମ ଓଡ଼ିଆ ଶିଳ୍ପୀ, ଯିଏକି ଏହି ଭିସା ହାସଲ କରିଛନ୍ତି ।

ସେ ୨୦୦୭ରୁ ଦୁବାଇରେ ରହି ଆସୁଛନ୍ତି । ଡିଜାଇନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋନା ବିଶ୍ବରୂପା ୟୁଏଇରେ ଆତ୍ମନିଯୁକ୍ତ ହୋଇଛନ୍ତି । ଏହାସହ ଦୁବାଇ ଅର୍ଥନୈତିକ ବିଭାଗରେ ପଞ୍ଜିକୃତ ହୋଇଛନ୍ତି । ବାରିପଦା ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସରୁ ଫାଇନ ଆର୍ଟରେ ଡିପ୍ଲୋମା ହାସଲ କରିଛନ୍ତି ମୋନା ବିଶ୍ବରୂପା ।

ପିଲାଟି ଦିନରୁ ସେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିବା ସହ ଭଲ ମଧ୍ୟ ପାଉଥିଲେ । ତାଙ୍କ ବାପା ଜଣେ କବି ତଥା ସଙ୍ଗୀତଜ୍ଞ । ଯିଏକି ଦୁଇଟି ଜଣାଶୁଣା ସଙ୍ଗୀତ -‘ଏଇ ଝୁମା ଝୁମା ଗୋଲାପୀ ଭେଳାରେ’ ଓ ‘କହନା ଏ ଫୁଲ କହନା’ ଗୀତ ଲେଖିଥିଲେ । ବାପାଙ୍କ ଲେଖାଶୈଳୀ ତାଙ୍କୁ ବେଶ ଆକୃଷ୍ଠ କରିଥିଲା ବୋଲି କହିଛନ୍ତି ମୋନା ବିଶ୍ବରୂପା ମହାନ୍ତି । ଏଥିସହ କଳା ଓ ସଂସ୍କୃତି ମଧ୍ୟରେ ତାଙ୍କ ପିଲା ଦିନ ବିତିଛି ବୋଲି ସେ କହିଛନ୍ତି ।

ୟୁନାଇଟେଡ ଆରବ ଏମିରେଟସ ତରଫରୁ ତାଙ୍କୁ ଏହି ଗୋଲ୍ଡେନ ଭିସା ମିଳିଥିବାରୁ ସେ ବେଶ ଖୁସି ପ୍ରକାଶ କରିଛନ୍ତି । ଏହି ସଫଳତା ତାଙ୍କ ଜୀବନରେ ଅନେକ କିଛି ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ମୋନା ବିଶ୍ବରୂପା । ଏଥିସହ ସେ ଭଗବାନ, ଦେଶବାସୀ, ପରିବାର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.