Latest Odisha News

BREAKING NEWS

ତୈଳଦର ବୃଦ୍ଧି ଓ ଶିକ୍ଷକ ଅନ୍ଦୋଳନ ନେଇ ବିଧାନସଭାରେ ହଟ୍ଟଗୋଳ, ଦିନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶୁକ୍ରବାର ଦିନ ବିଧାନସଭା ବିରୋଧି ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୩ଟା ଯାଏ ମୁଲତବୀ ରହିଲା ।

ବିଧାନସଭା ଗୃହ ଦିନ ୧୦:୩୦ରେ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳର ବିଧାୟକମାନେ ଶିକ୍ଷକ ଅନ୍ଦୋଳନକୁ ନେଇ ଗୃହରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଶ୍ନକାଳ ସମୟରେ ଏହି ପ୍ରସଙ୍ଗ ଆଲୋଚନା ନ କରିବାକୁ ପରାମର୍ଶ ଦେଇ ଏହାକୁ ଏଡ଼ାଇ ଯାଇଥିଲେ । କିନ୍ତୁ ବିରୋଧି ଦଳ ମୁଖ୍ୟ ହ୍ୱିପ ତାରା ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ଶିକ୍ଷକ ଆନ୍ଦୋଳନକୁ ନେଇ ସରକାର ବିରୋଧୀ ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ ।

ସେପଟେ ଶାସକ ବିଜୁ ଜନତା ଦଳର ସଦସ୍ୟମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ଅତ୍ୟଧିକ ତୈଳବୃଦ୍ଧିକୁ ପ୍ରତିବାଦ କରି କେନ୍ଦ୍ରର ବିଜେପି ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ତେବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଗୃହକୁ ବାଚସ୍ପତି ଦିନ ୩ଟା ଯାଏ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଗୃହ ମୁଲତବୀ ହେବାମାତ୍ରେ ବିଜେଡ଼ି ସଦସ୍ୟମାନେ ଏକତ୍ରିତ ହୋଇ ରାମମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପକୁ କେନ୍ଦ୍ର ସରକାରଙ୍କ ଅତ୍ୟଧିକ ତୈଳବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାହାରିଥିଲେ ।

“କେନ୍ଦ୍ରର ବିଜେପି ସରକାର ‘ଆଚ୍ଛେ ଦିନ’ର ପ୍ରତିଶୃତି ଦେଇଥିଲା, ମାତ୍ର ଅତ୍ୟଧିକ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି କରି କେନ୍ଦ୍ରର ବିଜେପି ସରକାର ସାଧାରଣ ଲୋକଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିଦେଇ ଧୋକା ଦେଇଛି । ଏହାକୁ ପ୍ରତିବାଦ କରି ଦଳ ପକ୍ଷରୁ ତୃଣମୂଳ ସ୍ତରରେ ଆନ୍ଦୋଳନ କରାଯିବ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡ଼ିର ବରିଷ୍ଠ ନେତା ସଂଜୟ ଦାସବର୍ମା କହିଛନ୍ତି ।

କେନ୍ଦ୍ର ସରକାରକୁ ସମାଲୋଚନା କରି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି, “ଯେତେବେଳେ ତୈଳଦର ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍ ପିଛା ୧୩୫ ଟଙ୍କା ଥିଲା ସେତେବେଳେ ଭାରତରେ ତାହା ମାତ୍ର ୫୪ ଟଙ୍କା ଦର ରହିଥିଲା । ତେବେ ବର୍ତ୍ତମାନ କିପରି ଏହି ଦର ବୃଦ୍ଧି ଘଟି ୮୦ଟଙ୍କାକୁ ଛୁଇଁଛି? ଏପରିକି ଆନ୍ତର୍ଜାତିକ ବଜାରରେ ତୈଳଦର ୭୮ଟଙ୍କାରେ ଉପଲବ୍ଧ ରହିଛି ” । ଏହିପରି ସେ କେନ୍ଦ୍ରକୁ ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟ ସରକାର ଭାଟ୍ କମ କରିବା ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ ତାଙ୍କ ଉତ୍ତରରେ କହିଛନ୍ତି, “ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଭାଟ୍ ମୂଲ୍ୟ ସବୁଠାରୁ କମ୍ ରହିଛି । ଜିଏସଟି ରେ ସଂଶୋଧନ ଆଣିବା କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦାୟିତ୍ୱ । ତୈଳଦର ହ୍ରାସ କରିବାକୁ ଏହା ଏକମାତ୍ର ପନ୍ଥା,” ବୋଲି ବରିଷ୍ଠ ବିଜେଡ଼ି ନେତା ଅରୁଣ ସାହୁ କହିଛନ୍ତି ।

Leave A Reply

Your email address will not be published.