Latest Odisha News

BREAKING NEWS

ମଣ୍ଡି ତାତିରେ ପୁଣି ଗୃହ ମୁଲତବି, ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆଣିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ମଣ୍ଡି ସମସ୍ୟା ତାତିରେ ଚାଲି ପାରିଲାନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିରୋଧୀ ହୋହଲ୍ଲା କରିଛନ୍ତି । ଗୃହରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତିଙ୍କ ରୁଲିଂ ଅନୁସାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।

ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ୨୧ ପ୍ରତିଶତ ଧାନ କିଣା ହୋଇଛି । ଧାନ କିଣାର ଶେଷ ତାରିଖ ମାର୍ଚ୍ଚ ୩୧ ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି । ଏଥିରେ ଅସନ୍ତୁଷ୍ଟ ବିଜେପି କହିଛି- ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆକାରରେ ଗୃହରେ ଆଲୋଚନା ହେଉ । କଂଗ୍ରେସ ମଧ୍ୟ ଗୃହରେ ଆଲୋଚନା ଦାବି କରିଛି । ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି, କଂଗ୍ରେସ ହଟ୍ଟଗୋଳ କରିଥିଲେ । ଫ୍ଲାକାର୍ଡ ଧରି ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଦିନ ୧୧ଟା ୩୦ ଓ ପରେ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ଗତକାଲି ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବିଧାନସଭା ଚାଲିପାରି ନଥିଲା । ବାରମ୍ବାର ମୁଲତବି ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହରେ ସମବାୟ ମନ୍ତ୍ରୀ ବିବୃତି ରଖିବେ ବୋଲି ରୁଲିଂ ଦେଇଥିଲେ ।

Leave A Reply

Your email address will not be published.