Latest Odisha News

BREAKING NEWS

ବିଧାନସଭାରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ: ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ୩ଟା ଯାଏଁ ମୂଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ପୁନର୍ବାର ବିରୋଧୀ ଦଳର ସଦସ୍ୟମାନେ ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିବା ଫଳରେ ବିଧାନସଭା ସରଗରମ ହୋଇପଡ଼ିଛି । ଗୃହରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୂଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।

ଗୃହର ପ୍ରଶ୍ନକାଳ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ନାବାଳିକା ନିର୍ଯ୍ୟାତନା ଘଟଣାକୁ ନେଇ ଆଲୋଚନା କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।

ବିଜେପି ସଦସ୍ୟମାନେ ସରକାର ବିରୋଧୀ ନାରାବାଜି ଦେବା ସହିତ ଗୃହର ମଧ୍ୟଭାଗକୁ ଚାଲି ଆସି ବିଭିନ୍ନ ସ୍ଲୋଗାନ୍ ଦେଉଥିବାର ଦେଖାଯାଇଥିଲା । ଏପରିକି କିଛି ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢିବାକୁ ଉଦ୍ୟମ କରିଥିଲେ ।

ପ୍ରଶ୍ନକାଳ ଆରମ୍ଭରୁ ଏପରି ହଟ୍ଟଗୋଳ ଉପୁଜିବା ହେତୁ ବାଚସ୍ପତି ଗୃହକାର୍ଯ୍ୟ ଚଳାଇବାକୁ ଅସମର୍ଥ ହୋଇଥିଲେ । ପ୍ରଶ୍ନକାଳରେ ମଧ୍ୟ କାର୍ଯ୍ୟ ଆଉ ଆଗକୁ ବଢିପାରିନଥିଲା ।

ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୂଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଶନିବାର ରାତିରେ ଅନୁଗୁଳ ସହରରେ ଜଣେ ୭/୮ ବର୍ଷର ନାବାଳିକା ନିଜ ପରିବାର ସହିତ ନିଦରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ସହରର ବସଷ୍ଟାଣ୍ଡ ନିକଟସ୍ଥ ଆହାରକେନ୍ଦ୍ର ପଛପଟେ ଅଳିଆ ଗଦା ମଧ୍ୟରୁ ସକାଳେ କିଛି ବ୍ୟକ୍ତି ସଜ୍ଞାହୀନ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସାଲାଗି ପଠାଯାଇଥିଲା । ଏହି ଘଟଣାକୁ ନେଇ ବିରୋଧୀଦଳର ସଦସ୍ୟମାନେ ବିଧାନସଭାରେ ଉତ୍ଥାପନ କରିବା ସହିତ ସଂପୃକ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

Leave A Reply

Your email address will not be published.