Latest Odisha News

BREAKING NEWS

Kesinga SDPO:କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌;୧୫ ଦିନ ମଧ୍ୟରେ ରିପୋର୍ଟ ତଲବ…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ନର୍ଲ୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ।୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏସଡିପିଓ ଓ ତାଙ୍କ ଅଧୀନସ୍ଥ ପୁଲିସ କର୍ମଚାରୀଙ୍କ ବିରୋଧରେ ଉଠିଥିବା ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଓଡ଼ିଶା ବିଧାନସଭା ଗୁରୁତ୍ୱର ସହ ଗ୍ରହଣ କରିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସକୁ ବିଚାର କରି ବାଚସ୍ପତି ଗୃହ ବିଭାଗକୁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ୧୫ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏକ ଜରୁରୀ ପତ୍ର ପଠାଯାଇଛି।

ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସ୍ୱାକ୍ଷରିତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଏହି ନୋଟିସରେ ଥିବା ଅଭିଯୋଗକୁ ବାଚସ୍ପତି ଅନୁଧ୍ୟାନ କରିବା ପରେ ଗୃହ ବିଭାଗକୁ ତଥ୍ୟଭିତ୍ତିକ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ସଚିବାଳୟ ଏହାକୁ ଜରୁରୀ ପ୍ରସଙ୍ଗ ଭାବେ ବିବେଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗକୁ କହିଛି।

ସ୍ୱାଧିକାର ଭଙ୍ଗ ନୋଟିସରେ ବିଧାୟିକା ଅଭିଯୋଗ କରିଛନ୍ତି ଯେ, ୨୦୨୬ ମାର୍ଚ୍ଚ ୨୯ ତାରିଖ ସକାଳେ କେସିଙ୍ଗା ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଭୁବନେଶ୍ୱର ୟୁନିଟ୍–୪ ଏମ୍‌ଏଲ୍‌ଏ କଲୋନୀରେ ଥିବା ତାଙ୍କ ସରକାରୀ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ପୋଲିସ ମୁଖ୍ୟ ଫାଟକ ସମେତ ବାସଭବନର ବିଭିନ୍ନ କବାଟ ଓ ଝରକା ଭାଙ୍ଗି ଘର ଭିତରକୁ ପଶିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଘରେ ଥିବା ତାଙ୍କ ଝିଅ ଓ ଗୃହ ସହାୟିକାଙ୍କ ସହ ପୁଲିସ ଅସଦାଚରଣ କରିଥିବା ଏବଂ ଗୃହ ସହାୟିକାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି।

ବିଧାୟିକା କହିଛନ୍ତି, ଘଟଣା ସମୟରେ ସେ ଘରେ ନଥିଲେ। ପରେ ଫେରିବା ପରେ ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିଥିଲେ। ପୋଲିସ ତାଙ୍କ ସ୍ୱାମୀ ତଥା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ଖୋଜୁଥିଲା। ତହସିଲଦାରଙ୍କ ଏତଲା ଆଧାରରେ ରୁଜୁ ହୋଇଥିବା ଏକ ମାମଲାରେ ଗିରଫ କରିବା ପାଇଁ ପୁଲିସ ଆସିଥିବା କଥା କହିଥିଲେ। କିନ୍ତୁ ସ୍ଥାନୀୟ ଥାନା ପୁଲିସକୁ ସାଙ୍ଗରେ ନନେଇ ଏବଂ ପ୍ରଚଳିତ ଆଇନଗତ ପ୍ରକ୍ରିୟାକୁ ଅନୁସରଣ ନକରି ଏଭଳି କାର୍ଯ୍ୟ କରାଯାଇଥିବାରୁ ଏହା ଆଇନ ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି।

ନୋଟିସରେ ଆହୁରି କୁହାଯାଇଛି ଯେ, ବିଧାୟକମାନଙ୍କ ସରକାରୀ ବାସଭବନ ବିଧାନସଭା ସଚିବାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହିଥାଏ। ତେଣୁ ଅଧିବେଶନ ଚାଲିଥିବା ସମୟରେ ସେଠାରେ ଏଭଳି ବଳପୂର୍ବକ ପୋଲିସ ପ୍ରବେଶ କେବଳ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ବିଧାନସଭାର ସାମୂହିକ ଅଧିକାର ଓ ଗରିମା ପ୍ରତି ମଧ୍ୟ ଆଘାତ। ପୁଲିସର ଏଭଳି କାର୍ଯ୍ୟ ଦ୍ୱାରା ତାଙ୍କୁ ଜନସ୍ୱାର୍ଥ ପ୍ରସଙ୍ଗ ଉଠାଇବାରୁ ବାରଣ କରିବାକୁ ଉଦ୍ୟମ କରାଯାଇଥିବା ଏବଂ ଏହା ବିଧାନସଭାର ସ୍ୱାଧିକାରରେ ହସ୍ତକ୍ଷେପ ବୋଲି ନୋଟିସରେ ଦର୍ଶାଯାଇଛି।

ଏହି ପରିପ୍ରେକ୍ଷୀରେ ବିଧାୟିକା ମନୋରମା ମହାନ୍ତି ସମଗ୍ର ଘଟଣାକୁ ସ୍ୱାଧିକାର ଭଙ୍ଗ ବୋଲି ଦର୍ଶାଇ ଏହାକୁ ବିଧାନସଭାର ସ୍ୱାଧିକାର କମିଟିକୁ ପଠାଇ ତଦନ୍ତ କରିବା ଏବଂ ରିପୋର୍ଟ ଆଧାରରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.