Rahul Gandhi in Parliament: ଲୋକସଭାରେ ପେଲେଟ୍ ଗନ୍କୁ ନେଇ ଶାହଙ୍କୁ ଘେରିଲେ ରାହୁଲ, ‘କାଶ୍ମୀରରେ ଏହା କଂଗ୍ରେସ ହିଁ ଆରମ୍ଭ କରିଥିଲା’ କହି ପାଲଟା ଜବାବ ଦେଲେ ଇଞ୍ଜିନିୟର ରଶିଦ
ନୂଆଦିଲ୍ଲୀ: ଲୋକସଭାରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦ ଜୁଲାଇରେ ଛାତ୍ରଛାତ୍ରୀଙ୍କ ‘ଚଲୋ ସଂସଦ’ ଆନ୍ଦୋଳନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ।
ରାହୁଲ ଗାନ୍ଧୀ ଅଭିଯୋଗ କରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ପରେ ସତ୍ତାପକ୍ଷ ସାଂସଦମାନେ ତୀବ୍ର ବିରୋଧ କରିଥିଲେ।
ଏହି ସମୟରେ ଜମ୍ମୁ-କାଶ୍ମୀରର ବାରାମୁଲା ସାଂସଦ ଇଞ୍ଜିନିୟର ରଶିଦ ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବ ଦେଇ କହିଥିଲେ, “ଆଜି ପେଲେଟ୍ ଗନ୍ କଥା କୁହାଯାଉଛି। କିନ୍ତୁ କାଶ୍ମୀରରେ ପ୍ରଥମେ ପେଲେଟ୍ ଗନ୍ ବ୍ୟବହାର କଂଗ୍ରେସ ସରକାର ସମୟରେ ୨୦୧୦ରେ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା।” ସେ ଆହୁରି କହିଥିଲେ ଯେ, ଯଦି ୨୦ ଜୁଲାଇରେ ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର ହୋଇଥାଏ, ତେବେ ତାହା ଭୁଲ। କିନ୍ତୁ କାଶ୍ମୀରରେ ପେଲେଟ୍ ଗନ୍ ଯୋଗୁଁ ଶତାଧିକ ଶିଶୁଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଥିଲେ।
ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କଡ଼ା ଆପତ୍ତି ଉଠାଇଥିଲେ। ସେ କହିଥିଲେ, “ଆପଣ ସିଧାସଳଖ ଗୃହମନ୍ତ୍ରୀଙ୍କ ନାଁ ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଯଦି ପ୍ରମାଣ ଅଛି, ତେବେ ସଦନରେ ଦଲିଲ ଉପସ୍ଥାପନ କରନ୍ତୁ। ନଚେତ୍ କ୍ଷମା ମାଗନ୍ତୁ।” ରିଜିଜୁ ଆହୁରି କହିଥିଲେ, ଗୃହମନ୍ତ୍ରୀ କେବେ ପେଲେଟ୍ ଗନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ, ତାହାର ଅର୍ଡର ନମ୍ବର ଓ ଦସ୍ତାବିଜ ଦେଖାଇବାକୁ ପଡ଼ିବ।
ଏହି ବିବାଦ ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ହସ୍ତକ୍ଷେପ କରିଥିଲେ। ସେ କହିଥିଲେ, ସଦନରେ ପୂର୍ବ ସୂଚନା ଓ ପ୍ରମାଣ ବିନା କାହା ବିରୋଧରେ ବ୍ୟକ୍ତିଗତ ଅଭିଯୋଗ କରାଯାଇପାରିବ ନାହିଁ। ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କୁ ନିୟମ ଓ ସଂସଦୀୟ ମର୍ଯ୍ୟାଦା ପାଳନ କରି ତଥ୍ୟ ଆଧାରିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହାର ଜବାବରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସୁରକ୍ଷା ବାହିନୀ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରେ। ଏହାପରେ ବିରୋଧୀ ସାଂସଦମାନେ ‘ଗୃହମନ୍ତ୍ରୀ ଜବାବ ଦିଅ’ ବୋଲି ସ୍ଲୋଗାନ ଦେଇଥିଲେ, ଫଳରେ ସଦନରେ ହଟ୍ଟଗୋଳ ଆହୁରି ବଢ଼ିଯାଇଥିଲା।


Comments are closed.