Latest Odisha News

BREAKING NEWS

ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ‘ବିଜେପି ଡ୍ରାମା କରୁଛି’ କହି ବର୍ଷିଲା ବିଜେଡି

ଭୁବନେଶ୍ୱର: ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଓ ଭୂମିକା ଉପରେ ଆଲୋଚନା ପାଇଁ ଆସନ୍ତା ଏପ୍ରିଲ ୩୦ ତାରିଖରେ ଓଡ଼ିଶା ବିଧାନସଭାର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ତେବେ ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିରୋଧୀ ବିଜେଡି ଏହି ଅଧିବେଶନକୁ ସରକାରଙ୍କ ଏକ ‘ଡ୍ରାମା’ ବୋଲି ଆଖ୍ୟା ଦେଇ କଡ଼ା ସମାଲୋଚନା କରିଛି।

ସମ୍ବିଧାନର ଧାରା ୧୭୪(୧) ଅନୁଯାୟୀ ଡକାଯାଇଥିବା ଏହି ବୈଠକରେ ମହିଳାଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମହିଳାଙ୍କ ଅଧିକାର ଓ ସମ୍ମାନ ପାଇଁ ଏକ ଐତିହାସିକ ଲଢ଼େଇ ବୋଲି ଦର୍ଶାଇଥିବା ବେଳେ, ବିରୋଧୀ ଦଳ ବିଜେଡି ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ପୂର୍ବରୁ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ସେତେବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪୮ ଘଣ୍ଟା ଭିତରେ ବିଧାନସଭା ଡାକିବାକୁ ଦାବି କରିଥିଲେ। ବିରୋଧୀଙ୍କ ସହ କୌଣସି ଆଲୋଚନା ନକରି ବିଲ୍ ଅଣାଯିବା ସହ ବିଜେପି ଏହାକୁ ନେଇ କେବଳ ପ୍ରଚାର ସର୍ବସ୍ୱ ରାଜନୀତି କରୁଛି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସରକାର ଡ୍ରାମା କରୁଛନ୍ତି। ଅଧିବେଶନ କାହିଁକି ଡକାଗଲା ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ଏହାକୁ ନେଇ ସେମାନେ ରାଜନୀତି କରୁଛନ୍ତି ଓ ଏକୁଟିଆ କାନ୍ଦିଲା ପରି ବାହାନା କରୁଛନ୍ତି। ଆସନ୍ତା ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ବୋଲି ସେ ସିଧାସଳଖ ଚେତାବନୀ ଦେଇଛନ୍ତି।”

ଗୋଟିଏ ପଟେ ସରକାର ମହିଳା ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ବିରୋଧୀଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ୩୦ ତାରିଖର ସ୍ୱତନ୍ତ୍ର ଅଧିବେଶନ ବେଶ୍ ସରଗରମ ତଥା ହଟ୍ଟଗୋଳପୂର୍ଣ୍ଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Leave A Reply

Your email address will not be published.