Latest Odisha News

BREAKING NEWS

ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନରେ, ଖୁସି ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ (୨୦୨୩ ମସିହା) କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିବା ଗୌରବର ବିଷୟ। ନିବେଶକମାନେ ଅଭିବୃଦ୍ଧିର ସମ୍ଭାବନାକୁ ଆହୁରି ବ୍ୟାପକ କରି ପୁଞ୍ଜି ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ଉପରେ ନିରନ୍ତର ବିଶ୍ୱାସ ରଖି ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ସମ୍ମାନ ଜଣାଉଛି।

ଏଥିସହ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସୋସିଆଲ ମିଡିଆରେ ଏହାର ଏକ ଫଟୋ ଶେୟାର କରିଛନ୍ତି। ୨୦୨୩ ମସିହାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫ ଲକ୍ଷ ୧୦ ହଜାର ୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏଥିରୁ ଓଡ଼ିଶାକୁ ସର୍ବାଧିକ ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ଯାହା ମୋଟ ନିବେଶ ପ୍ରସ୍ତାବର ପ୍ରାୟ ୪୦ ପ୍ରତିଶତ ଅର୍ଥାତ୍ ୫ ହଜାର ୮୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।

ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କ୍ଷେତ୍ରରେ ସିଂହଭାଗ ହୋଇଥିବା ବେଳେ, ଅନ୍ୟ ରାଜ୍ୟମାନେ ଏହାଠାରୁ ବହୁ ପଛରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସାରା ଦେଶର ମୋଟ ନିବେଶ ପ୍ରସ୍ତାବର ୧୨ ପ୍ରତିଶତ ଗୁଜରାଟ ଭାଗରେ ପଡ଼ିଛି। ଗୁଜରାଟକୁ ୨୦୨୩ରେ ମୋଟ ୬୨ ହଜାର ୫୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି। ଅର୍ଥାତ୍ ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରକୁ ୫୯ ହଜାର ୫୫୧ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ମଧ୍ୟପ୍ରଦେଶକୁ ୨୨ ହଜାର ୧୬୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ୨୦୨୩ ମସିହା ଡିସେମ୍ବର ମାସରେ ଦେଶକୁ ମୋଟ ୧୨ ହଜାର ୨୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ, ଓଡ଼ିଶାକୁ ଏଥିରୁ ସର୍ବାଧିକ ୪୦ ପ୍ରତିଶତ ଟଙ୍କାର ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।

 

Comments are closed.