Latest Odisha News

BREAKING NEWS

ଘଣ୍ଟ ଘୋଡ଼ାଇବାକୁ ଫସଲ ବୀମାକୁ ନେଇ ବିଜେଡି ପ୍ରତିବାଦ କରୁଥିବା କହିଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ବୟାନବାଜି ଜାରି ରହିଛି । ପୁଣି ଥରେ ବିଜେପି, ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଛି । ଧାମନଗରରେ ବିଜେଡିର ଟଙ୍କା ବଣ୍ଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ବଞ୍ଚାଇବା ଓ ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିଜେଡି ଫସଲ ବୀମାର ସୁଆଙ୍ଗ ରଚିଥିବା କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି, କୃଷି ବୀମା ଯୋଜନା ପ୍ରାକୃତିକ ଦୁର୍ବିପାକ ଓ ରୋଗପୋକ ଦାଉରୁ ଫସଲ ନଷ୍ଟ ହେଲେ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଉଦ୍ଦିଷ୍ଟ । ବୀମା କମ୍ପାନୀ ଏବଂ ଚାଷୀ ମାନଙ୍କ ମଧ୍ୟରେ ବୀମାରାଶିକୁ ନେଇ ସମସ୍ୟା ଉପୁଜିଲେ କେନ୍ଦ୍ର ସରକାର ସଂଶୋଧିତ ପରିଚାଳନା ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ଗାଇଡଲାଇନ୍ ଅଧିନରେ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି(ଏସଟିଏସି) ଦ୍ୱାରା ବିଚାର ହୋଇ ସମାଧାନ ହୋଇ ପାରିବ । ଉକ୍ତ କମିଟିରେ କୃଷି ବିଭାଗର ପ୍ରମୁଖ ସଚିବ, ରାଜ୍ୟର ବିଶ୍ୱବିଦ୍ୟାଳୟ ପ୍ରଫେସର, ଷ୍ଟେଟ୍ ରିମୋଟସେନ୍ସିଂର ବରିଷ୍ଠ ଅଧିକାରୀ ଓ ଆସିଏଆରର ପ୍ରତିନିଧି ରହିବାର ନିୟମ ରହିଛି ।

କିନ୍ତୁ ଏହାକୁ ଅମାନ୍ୟ କରି ବିଜେଡି ସରକାର ନିୟମକୁ ଭାଙ୍ଗି ଜଣେ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ଦ୍ୱାରା ଏ ସମ୍ପର୍କୀତ ବିବାଦ ସମାଧାନ କରିବାକୁ ଉଦ୍ୟମ କରିବା ଲଜ୍ଜ୍ୟାଜନକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ପତ୍ରାଳାପ ପରେ ରାଜ୍ୟ ସରକାରଙ୍କ ବୀମା ମାମଲା ଫଇସଲା କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସେପ୍ଟେମ୍ବର ୧୬ରେ କେନ୍ଦ୍ରକୁ ଚିଠି ଲେଖିବା ସହ ମୋଟ ୧୮୯ ମାମଲା ସମାଧାନ ହୋଇ ପାରିନଥିବା ଉଲ୍ଲେଖ କରାଯାଇଛି । ଏହି ମୋଟ ୧୮୯ ମାମଲାର ତର୍ଜମା କରି କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ଆସନ୍ତା ନଭେମ୍ବର ୩ ତାରିଖରେ ବୈଠକ କରି ନିର୍ଣ୍ଣୟ ନେବା ପରେ ନିର୍ଦ୍ଦେଶନାମା ଜାରି କରିବେ ।

ଚାଲି ନଜାଣି ବାଟର ଦୋଷ ଦେବା ବିଜେଡି ସରକାରର ଅଭ୍ୟାସଗତ ପରମ୍ପରା । ପ୍ରଥମେ ବିଜେଡ଼ି ସରକାର ନିୟମ କାନୁନ୍ ଭାଙ୍ଗିବା କାରଣରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି । ଅପରପକ୍ଷରେ ରାଜ୍ୟରେ ସମାଧାନ ହୋଇପାରିନଥିବା ମୋଟ ୧୮୯ ମାମଲା ଆସନ୍ତା ନଭେମ୍ବର ୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିବା ପରେ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି । ବିଜେଡି ସରକାର ନିଜେ ପଡିଥିବା ହରଡ଼ଘଣାରୁ ଦୃଷ୍ଟି ହଟାଇବା ପାଇଁ ଏହି ସୁଆଙ୍ଗ କରୁଛନ୍ତି ଓ ମିଛରେ କୃଷି ବୀମା ପ୍ରସଙ୍ଗ ଉଠାଉଛନ୍ତି ।

ବାସ୍ତବ କଥା ହେଉଛି ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ମାଳ ମାଳ ଟଙ୍କା ବଣ୍ଟାର ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେଉଛି । ମନ୍ତ୍ରୀ ସମୀର ଦାଶ ତାଙ୍କ ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସହ ଜଡ଼ିତ ଯୌନ କେଳେଙ୍କାରୀ ନେଇ ବିଜେଡି ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି । ମାତ୍ର ଏହି ସବୁ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଶାସକ ବିଜୁ ଜନତା ଦଳ କୃଷି ବୀମା ନ ମିଳିବା ନେଇ ସୁଆଙ୍ଗ କରି ଜନମତକୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

Leave A Reply

Your email address will not be published.