Latest Odisha News

BREAKING NEWS

ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇଛି ଗୁପ୍ତ ବୁଝାମଣା: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି ଯାହାର ଫଳସ୍ୱରୂପ କଂଗ୍ରେସ ଢାଲ ସଦୃଶ କାର୍ଯ୍ୟ କରୁଛି ବୋଲି ଓଡ଼ିଶା ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଅଭିଯୋଗ କରାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନାଦେଇ ବିଜେପି ବିଧାୟକ ଦଳର ନେତା କେଭି ସିଂହଦେଓ ‘ବିଧାନସଭାକୁ ମୁଲତବୀ’ କରିବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି, ବିଜେପି ବିଧାନସଭାରେ ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତଥାପନ କରିଛି ସେହି ସମୟରେ କଂଗ୍ରେସ ସଦସ୍ୟମାନେ ଏହାକୁ ଜାଣିଶୁଣି ବାଧା ସୃଷ୍ଟି କରିଛନ୍ତି ।

“ଗତକାଲି ଆମେ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମସ୍ଥିତ ଝିଙ୍କରଗଡ଼ି ଜଙ୍ଗଲରେ ହେଉଥିବା ଗଛକଟା ପ୍ରସଙ୍ଗରେ ପ୍ରଶ୍ନ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ଶାସକ ବିଜେଡ଼ି ସଦସ୍ୟମାନେ ଗୃହର ଧ୍ୟାନ ଅନ୍ୟ ଆଡ଼କୁ ହଟାଇ ଅନୁସୂଚିତ ଜାତି ଓ ଉପଜାତିର ମ୍ୟାଟ୍ରିକ ପରବର୍ତ୍ତୀ ବୃତ୍ତି ପରିମାଣ ହ୍ରାସ କରିବା ପ୍ରସଙ୍ଗକୁ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଦେଇଥିବା ପତ୍ରର ନକଲକୁ ପ୍ରଦର୍ଶିତ କରିଥିଲେ । ଗୃହର କାର୍ଯ୍ୟକୁ ରୋକିବା ଲାଗି କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଉଠି ଚାଲି ଆସିଥିଲେ, ଗୃହ ମଧ୍ୟରେ ଏପରି ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହା ପ୍ରଥମ ଉଦାହରଣ ନୁହେଁ ଯେଉଁଠି କଂଗ୍ରେସ ଦଳ ଶାସକ ବିଜେଡ଼ିକୁ ରକ୍ଷା କରିବାକୁ ଆଗଭର ହୋଇଛି । ଅତୀତରେ ଏହିପରି ଅନେକ ଗୁଡ଼ିଏ ଘଟଣା ନଜରକୁ ଆସିଛି ଯାହାକି ଏହି ଦୁଇ ଦଳ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିବାର ସୂଚନା ଦେଉଛି,” ବୋଲି କହିଛନ୍ତି ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ।

ନିଜ ଦଳର ନେତାଙ୍କୁ ସମର୍ଥନ କରି ବିଜେପି ସଦସ୍ୟ ପ୍ରଦୀପ ପୁରୋହିତ କହିଛନ୍ତି, କଂଗ୍ରେସ ନେତା ତଥା ପୂର୍ବତନ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ବହୁବାର ବିଧାନସଭାରେ ବିଜେଡ଼ିର ସମାଲୋଚନା କରିଛନ୍ତି । ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ମିଠା ଖୁଆଇ ଶାନ୍ତ କରାଇଛନ୍ତି ।

“ବର୍ତ୍ତମାନର ବିରୋଧି ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉତ୍ତରାଧିକାରୀ ସ୍ୱରୂପ ତାଙ୍କ ପଦାଙ୍କ ଅନୁସରଣ କରୁଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ସଗରିଆ ପୂର୍ବରୁ ଅଭିଯୋଗ କରି କହିଛନ୍ତି ଯେ, ଏହି ବିରୋଧୀ ଦଳ ନେତା ସହିତ ନବୀନ ଏବଂ ତୃତୀୟ ମହଲାର ବେଶ୍ ଘନିଷ୍ଠତା ରହିଛି,”ଏହି କଥା କହିଛନ୍ତି ପ୍ରଦୀପ ପୁରୋହିତ ।

ଅତୀତରେ ବିଧାନସଭାର ଗୃହରେ ବିଜେପି ସଦସ୍ୟା ରାଧାରାଣୀ ପଣ୍ଡାଙ୍କୁ ବିଜେଡ଼ି ସଦସ୍ୟ ବିଦାଦୀୟ ଟିପ୍ପଣ୍ଣୀ ଦେଇଥିଲେ ଏବଂ ଏହି ଘଟଣାକୁ କଂଗ୍ରେସ ବିରୋଧ କରିଥିଲା, ଏପରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ବିରୋଧୀ ଦଳର ନେତା ଏହି ଘଟଣାର ନିନ୍ଦା କରିଥିଲେ ନହେଲେ ସେ ସମାଲୋଚିତ ହୋଇଥାଆନ୍ତେ ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ଅନ୍ୟ ଜଣେ ସଦସ୍ୟ ରବି ନାୟକ ମଧ୍ୟ କହିଛନ୍ତି, ବିରୋଧୀ ଦଳ ନେତା ଗୃହରେ ସଗରିଆଙ୍କ ବୟାନ ମଧ୍ୟ ନେଇନାହାନ୍ତି ।

ବିଜେପିର ଏହି ଆରୋପକୁ ବରିଷ୍ଠନେତା ନରସିଂହ ମିଶ୍ର ଏହା ଭିତ୍ତିହୀନ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ରହିଥିବାର କଥା ସେ ବହୁ ପୂର୍ବରୁ କହିଛନ୍ତି ।

ବିଜେପିକୁ ଆକ୍ରମଣ କରି ବିଜେଡ଼ି ନେତା ସଂଜୟ ଦାସବର୍ମା କହିଛନ୍ତି, ରାଜ୍ୟର ହିତସାଧନ ସମ୍ପର୍କରେ ଟିପ୍ପଣୀ ଦେବାକୁ ଭଗୱା ଦଳର କୌଣସି ନୈତିକତା ନଥିଲା, ସେମାନଙ୍କର ଦୃଷ୍ଟିକୋଣ ଗଣତନ୍ତ୍ର ପ୍ରତି ବିପଦ ।

ବିଜେଡ଼ି ନେତା ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, ବିଜେଡ଼ି ବିଜେପି ଓ କଂଗ୍ରେସଠାରୁ ସମ ଦୂରତାରେ ରହିଛି । “ଓଡ଼ିଶା ପ୍ରତି କେନ୍ଦ୍ରର ଉଦାସୀନତା ଆମେ ଅନେକଥର ଉଠାଇଛୁ, କାରଣ କଂଗ୍ରେସ ଓ ବିଜେପି ଆମର ଆଭିମୁଖ୍ୟକୁ ଠିକ୍ ରୂପେ ବୁଝିବାରେ ଅକ୍ଷମ, ଏଥିପାଇଁ ସେମାନେ ବିଚଳିତ ହୋଇପଡ଼ି ଦାୟିତ୍ୱହୀନ ମନ୍ତବ୍ୟ ପ୍ରଦାନ କରୁଛନ୍ତି” ।

Leave A Reply

Your email address will not be published.