Latest Odisha News

BREAKING NEWS

ଜୟନାରାୟଣଙ୍କୁ ବିରୋଧ କରି ପ୍ରତିବାଦ, ବିକ୍ଷୋଭକାରୀଙ୍କୁ ଝିଅ ଖୁଆଇଲେ ମିଠା

ସମ୍ବଲପୁର: ଗଣତନ୍ତ୍ରରେ ବିରୋଧ ଏକ ସ୍ୱାଭାବିକ ପ୍ରକ୍ରିୟା । ରାଜ୍ୟରେ ଅନେକ ସମୟରେ ବିରୋଧ ରାଜନୀତି ହୁଏ । ଅନେକ ସମୟରେ ବିରୋଧ ବି ହିଂସାର ରୂପ ନିଏ । ହେଲେ ବିରୋଧ ରାଜନୀତିରେ ଆଜି ସମସ୍ତଙ୍କ ମନ ଜିଣିଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ର ।

ଧନୁପାଲି ଥାନା ଆଇଆଇସିଙ୍କୁ ଜୟନାରାୟାଣ ଧକ୍କା ମାରିବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିଲା । କିଛି କିନ୍ନର ବି ସମ୍ବଲପୁରରେ ଜୟନାରାୟଣଙ୍କ ଘରେ ଆଗରେ ପ୍ରବଳ ଖରାରେ ପ୍ରତିବାଦ କରୁଥିଲେ । ଆଉ ସେହି ସମୟରେ ଜୟନାରାୟଣଙ୍କ ଝିଅ ବିକ୍ଷୋଭ କରୁଥିବା କିନ୍ନରଙ୍କୁ ପାଣି ପିଇବାକୁ ଦେବା ସହ ମିଠା ଦେଇଥିଲେ । ଯାହାକୁ ନେଇ ଆଜି ବେଶ୍ ଚର୍ଚ୍ଚା ହେଉଛି ।

ଏନେଇ ପ୍ରତିକ୍ରିୟା ଦେଇ ଶୁଭଶ୍ରୀ କହିଛନ୍ତି, ଆଜି ମୋ ବାପାଙ୍କ ଜନ୍ମଦିନ ଥିଲା । ଘରକୁ ଆସିଥିବା ଅତିଥିଙ୍କ ସତ୍କାର କରିବା କଥା । ଆମ ସଂସ୍କୃତିରେ କିନ୍ନରଙ୍କୁ ଶିବ ଶକ୍ତିର ରୂପ କୁହାଯାଏ । ମୁଁ ଅତିଥି ସତ୍କାର କରିଛି । ପାଣି ଓ ମିଠା ଦେବା ପରେ ସେମାନେ ଖୁସି ହୋଇଥିବା କହିଛନ୍ତି ଶୁଭଶ୍ରୀ । ଆଗକୁ ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି ଶୁଭଶ୍ରୀ କହିଛନ୍ତି ।

ଏହା ପୂର୍ବରୁ ବି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଏଭଳି ସ୍ୱାଗତ କରିଥିଲେ । ମଣ୍ଡିରୁ ଧାନ ଉଠାଣ ନେଇ ବିରୋଧୀ ବିଜେପି ପ୍ରତିବାଦ କରି ଟାଇଁ ଟାଇଁ ଖରାରେ ନବୀନ ନିବାସ ଯାଇ ବିକ୍ଷୋଭ କରିଥିଲେ । ଆଉ ଗଣତନ୍ତ୍ରରେ ବିରୋଧୀଙ୍କୁ ବିରୋଧକୁ ସମ୍ମାନ ଜଣାଇ ବାହାରକୁ ଧାଇଁ ଆସିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ନବୀନ ନିବାସକୁ ପାଛୋଟି ନେବା ସହ ସମସ୍ତଙ୍କୁ ସର୍ବତ ଓ ପଣା ପିଆଇବାକୁ ଦେଇଥିଲେ । ଆଜି ସେ କଥାର ପୁଣି ପୁନରାବୃତ୍ତି ହୋଇଛି ସମ୍ବଲପୁରରେ ।

Comments are closed.