Latest Odisha News

ଭଦ୍ରକ ଅଶାନ୍ତି…ବଢିଲା ରାଜନୀତି

ଭୁବନେଶ୍ବର: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ, ଅଶାନ୍ତ ଭଦ୍ରକ। ଧୁଷୁରୀ, ପାଳିଆବିନ୍ଧା ଏବଂ ପରେ ଧାମନଗର ଓ ଭଦ୍ରକ । ମାସେ ଭିତରେ ଜିଲ୍ଲାରେ ତିନିଟି ସାଂପ୍ରଦାୟିକ ଅଶାନ୍ତି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛି ବିଜେଡି। ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିଛି ଦଳ। ବିଜେପି ମଧ୍ୟ କଡା କାଉଣ୍ଟର କରିଛି । ୨୪ବର୍ଷରେ ରାଜ୍ୟରେ ଅଶାନ୍ତି ବାଣ୍ଟିଥିବା ନବୀନ ବାବୁ ସାଂପ୍ରଦାୟିକ ବୟାନବାଜି କରି ରାଜନୈତିକ ରୁଟି ସେକୁଥିବା ବିଜେପି କହିଛି । ସେପଟେ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଭଦ୍ରକ ହିଂସା ଘଟଣାର ସମୀକ୍ଷା କରିଛନ୍ତି ।

କାହିଁକି ବଢୁଛି ସାଂପ୍ରଦାୟିକ ଅଶାନ୍ତି?

ବିଜେଡି ସରକାରର ୨୪ବର୍ଷରେ ରାଜ୍ୟର ସବୁ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ତେବେ ବିଜେପି ସରକାରକୁ ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି । ଗତ ତିନି ମାସ ମଧ୍ୟରେ ୪ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଦେଇଛି । ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି। ଏଥିସହ ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ ଏକ୍ ହୋଇ କାମ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

କିଏ ସେକୁଛି ରାଜନୀତିର ରୁଟି?

ସୋସିଆଲ୍ ମିଡିଆରେ ବିଜେଡିର ପୋଷ୍ଟ ପରେ କଡା କାଉଣ୍ଟର କରିଛି ବିଜେପି । କନ୍ଧମାଳ ଦଙ୍ଗା, ୨୦୧୭ ରାମନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ କିଏ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ? ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ଼ ଆଉ ଦଙ୍ଗା ବେଳେ କେଉଁ ଦଳ ଶାସନରେ ଥିଲା? ବୋଲି ପ୍ରଶ୍ନ କରିଛି ବିଜେପି । ନବୀନବାବୁ ନିଜେ ଓଡିଶାକୁ ଅଶାନ୍ତି କରିବାକୁ ଚାହୁଁଛନ୍ତି । ସାମ୍ପ୍ରଦାୟିକ ବୟାନବାଜି କରି ରାଜନୀତିର ରୁଟି ସେକିବାକୁ ନବୀନ ଚାହୁଁଥିବା ବିଜେପି କହିଛି ।

ଭଦ୍ରକ ଅଶାନ୍ତି…କାହାର ଲିଙ୍କ?

ଭଦ୍ରକ ଅଶାନ୍ତିରେ ଗିରଫ ହୋଇଥିବା ଦଙ୍ଗାକାରୀଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି । ସେମାନେ ବିଜେଡିର ସକ୍ରିୟ ଓ ଆଗଧାଡିର ନେତା ବୋଲି ବିଜେପି ଅଭିଯୋଗ କରିଛି । ଏପରିକି ନବୀନ ବାବୁ ନିଜେ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ସାଂସଦ କରିଥିବା ଦଳ କହିଛି । ୨୦୧୭ମସିହାରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶା ସାଂପ୍ରଦାୟିକ ହିଂସାରେ ଦେଶରେ ତିନି ନମ୍ବର ସ୍ଥାନରେ ଥିଲା । ୨୦୨୨ର ତଥ୍ୟ ଅନୁସାରେ ରାଜ୍ୟରେ ମାତ୍ର ଗୋଟିଏ ବର୍ଷରେ ୧୫ରୁ ଅଧିକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଏଥିସହ ୟୁପି ଗ୍ୟାଙ୍ଗଷ୍ଟର ରାଜା ଖାନକୁ ଓଡିଶାରେ ବିଜେଡିର ଜଣେ ତତ୍କାଳୀନ ବିଧାୟକ ସୁରକ୍ଷା ଦେଇଥିଲେ । ସେତେବେଳେ ନବୀନ ବାବୁ କାହିଁକି ଚୁପ୍ ରହିଥିଲେ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି ।

ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ବାଇ ବି ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ଗୁଜବଠାରୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନକରିବାକୁ ସେ ଅପିଲ କରିଛନ୍ତି । ପୋଲିସକୁ ଆକ୍ରମଣ ଘଟଣାରେ ଏବେସୁଦ୍ଧା ୨୭ଜଣଙ୍କୁ ଗିରଫ କରାଯାଇଛି । ଭଦ୍ରକରୁ ୧୦ଜଣ ଓ ଧାମନଗରରୁ ୧୭ଜଣ ଗିରଫ ହୋଇଛନ୍ତି । ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଭଦ୍ରକରେ ୧୨ପ୍ଲାଟୁନ୍ ପୋଲିସ ଫୋର୍ସ ଓ ଏକ କମ୍ପାନୀ ରାପିଡ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗରରେ ୬ପ୍ଲାଟୁନ୍ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ ଆକ୍ସନ୍ ଫୋର୍ସକୁ ମୁତୟନ କରାଯାଇଛି । ସୋସିଆଲ୍ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ମନ୍ତବ୍ୟକୁ ନେଇ ଅଶାନ୍ତ ହୋଇଥିଲା ଭଦ୍ରକ । ତେବେ ସ୍ଥିତି ଧୀରେ ଧୀରେ ସୁଧୁରୁଛି । ତେବେ ପ୍ରଶ୍ନ ଉଠୁଛି, ଶାସକ ହୁଅନ୍ତୁ କି ବିରୋଧୀ ସାଂପ୍ରଦାୟିକ ଅଶାନ୍ତିକୁ ନେଇ ରାଜନୀତି କରିବା ଉଚିତ୍ କି ?

Leave A Reply

Your email address will not be published.