Latest Odisha News

BREAKING NEWS

ଅଦ୍ଭୂତ ସଂଯୋଗ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ; ଗାର୍ଡ ଅଫ୍ ଅନର ନେତୃତ୍ୱ ନେଲେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ପୁରା ଭାରତ ଜଣେ ମହିଳା ଆଦିବାସୀ ଓଡ଼ିଆଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉତ୍ସବ ମନାଇଛି । ସେହି ମୁହୂର୍ତ୍ତରେ ଆଉ ଜଣେ ଓଡ଼ିଆ ଅଫିସରଙ୍କ ନେତୃତ୍ୱରେ ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସେ ହେଉଛନ୍ତି ଶିଖ୍ ରେଜିମେଣ୍ଟ ଷଷ୍ଠ ବାଟାଲିଅନର କର୍ଣ୍ଣେଲ ଷ୍ଟାଲିନ ମହାନ୍ତି ।

ସୋମବାର ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଶିଖ୍ ରେଜିମେଣ୍ଟର ଷଷ୍ଠ ବାଟାଲିଅନର କମାଣ୍ଡିଙ୍ଗ ଅଫିସର ଭାବେ ଷ୍ଟାଲିନଙ୍କ ନେତୃତ୍ୱରେ ଏହି ଗାର୍ଡ ଅଫ୍ ଅନର ଅନୁଷ୍ଠିତ ହୋଇଥିଲା ।

ଏହା ଏକ ଅଦ୍ଭୂତ ସଂଯୋଗ । ଜଣେ ଓଡ଼ିଆ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେଉଥିବା ବେଳେ ଆଉ ଜଣେ ଓଡ଼ିଆ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଛନ୍ତି ।

ସଂଯୋଗ କେବଳ ରାଷ୍ଟ୍ରପତି ଭବନ ପରିସର ଭିତରର ନୁହେଁ । କଟକ କଣ୍ଟାପଡ଼ାର ମୂଳ ନିବାସୀ ଷ୍ଟାଲିନ୍ ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସେଠାରେ ଚାକିରି କରିଥିବା ହେତୁ ଷ୍ଟାଲିନଙ୍କ ପରିବାର ମୟୁରଭଞ୍ଜରେ ପ୍ରାୟ ୪୦ ବର୍ଷ କାଟିଛନ୍ତି ।

ଷ୍ଟାଲିନ ଉଦଳା ସ୍ଥିତ ଶ୍ରୀ ଅରୋବିନ୍ଦ ସ୍କୁଲରୁ ତାଙ୍କ ପାଠ ପଢ଼ା ଆରମ୍ଭ କରିଥିଲେ । ଏହା ପରେ ସେ ଭୁବନେଶ୍ବରର ସୈନିକ ସ୍କୁଲରେ ଆଡ଼ମିଶନ ନେଇଥିଲେ ।

ସୈନିକ ସ୍କୁଲରୁ ପାସ୍ କରିବା ପରେ ସେ ଏନଡିଏ(ନ୍ୟାଶନାଲ ଡିଫେନ୍ସ ଏକାଡେମୀ)ରେ ଯୋଗ ଦେଇଥିଲେ । ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦେବା ଏକ ଗୌରବର ମୁହୂର୍ତ୍ତ ବୋଲି ଷ୍ଟାଲିନଙ୍କ ମା ଗଣମାଧ୍ୟମକୁ କହିଛନ୍ତି ।

ଷ୍ଟାଲିନ ଏହି ଅବସରକୁ ଲାଇଭ ଦେଖିବାକୁ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ । ଷ୍ଟାଲିନଙ୍କୁ ତାଙ୍କୁ ମା’ ଅନୁରୋଧ କରିଥିଲେ ଯେ, ସେ ସୁଯୋଗ ଦେଖି ମାଡାମ୍ ପ୍ରେସିଡେଣ୍ଟଙ୍କ ସହ ଓଡ଼ିଆରେ କଥା ହେବାକୁ କହିଥିଲେ ।

Leave A Reply

Your email address will not be published.