ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ହୋଲିରେ ତାତି ଦେଖାଇବ ତାଉ, ଆହୁରି ବଢ଼ିବ ଖରା। ଏବେଠୁ ଡରେଇଲାଣି ଖରା । ଦିନ ଦଶଟା ପରେ ଘରୁ ବାହାରିଲେ ଦେହ ଜଳି ପୋଡି ଗଲାଭଳି ଲାଗୁଛି । ମାର୍ଚ୍ଚ ପହିଲାରୁ ଟାଏଁ ଟାଏଁ ଖରା ଅସ୍ତବ୍ୟସ୍ତ କଲାଣି । ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରବିବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ । ସୋମବାର ଏହା ୩୮ ଡିଗ୍ରୀରେ ଛୁଇଁଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଥିଲା ।
ତାଳଚେରରେ ୩୫.୪ ଡିଗ୍ରୀରୁ ୩୭ ଡିଗ୍ରୀକୁ ବଢ଼ିଛି । ଭୁବନେଶ୍ୱରରେ ବି ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିଛି । ଦିନବେଳା ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେଉଥିଲା । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ । ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ । ପାଣିପାଗ ବିଭାଗ ଏହି ଆକଳନ କରିଛି । ମଙ୍ଗଳବାର ଝାରସୁଗୁଡ଼ା ଓ ସୋନପୁରରେ ୩୮, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ବାରିପଦା, ଭୁବନେଶ୍ୱର ଓ ସମ୍ବଲପୁରରେ ୩୭ ଡିଗ୍ରୀ ରହିପାରେ । ୪ ତାରିଖ(ବୁଧବାର) ଟିଟିଲାଗଡ଼, ସୋନପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସୋମବାର ସମ୍ବଲପୁରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬, ଢେଙ୍କାନାଳରେ ୩୬.୬,ତାଳଚେରରେ ୩୭, ପାରଳାଖେମୁଣ୍ଡିରେ ୩୬.୨, ରାଉରକେଲାରେ ୩୬.୩, ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା । ଅନୁଗୁଳରେ ୩୬.୧, ବାରିପଦା ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା । ମାର୍ଚ୍ଚରୁ ମେ ମାସ ଭିତରେ ହିଟ୍ୱେଭର ଦିନ ସର୍ବାଧିକ ରହିବ ବୋଲି ଆଇଏମଡି ଚେତାଇ ଦେଇଛି । ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ଦେଖିବାକୁ ମିଳିବ । ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହର ଦିନ ପରିଲିକ୍ଷିତ ହେବ ।