Latest Odisha News

BREAKING NEWS

ଓଡ଼ିଶାକୁ ବାତ୍ୟା ଭୟ! ୨୬ରେ ବଙ୍ଗୋପସାଗରରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆଗାମୀ ଦିନରେ ଅଧିକ ଘନୀଭୂତ ହେବ।ଫଳରେ ଏକ ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତା ବଢ଼ିବାରେ ଲାଗିଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଅକ୍ଟୋବର ୨୪ ତାରିଖରେ ଏକ ଅବପାତର ରୂପ ନେବ, ଅକ୍ଟୋବର ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇଏକ ଗଭୀର ଅବପାତ କ୍ଷେତ୍ରରେ ପରିଣତ ହେବ ଏବଂ ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ଏକ ବାତ୍ୟାର ରୂପ ନେଇପାରେ।

ଯଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ଏହାର ନାମ ‘ଅର୍ଣ୍ଣବ’ ରଖାଯିବ। ଅପରପକ୍ଷରେ ଏହି ନାମ ବାଂଲାଦେଶ ଦ୍ୱାରା ପ୍ରସ୍ତାବିତ ହୋଇଛି।

ଆଗାମୀ ଦୁଇ ଦିନ ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ତେବେ ଏହାର ସଠିକ୍ ଗତିପଥ, ତୀବ୍ରତା ଏବଂ ଏହା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବା ବେଳେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ମଧ୍ୟ ହୋଇପାରେ।

ଏହି ପାଣିପାଗ ପ୍ରଣାଳୀ ଅଧିକ ଶକ୍ତିଶାଳୀ ହେବା ସହ ପବନର ବେଗ ବଢ଼ିପାରେ ଏବଂ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସତର୍କ ରହିଛନ୍ତି ଏବଂ ଆବଶ୍ୟକୀୟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି। ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ପାଣିପାଗ ସମ୍ବନ୍ଧୀୟ ସଦ୍ୟତମ ସୂଚନା ପାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ବୁଲେଟିନ କିମ୍ବା ସରକାରୀ ସୂଚନା ଉପରେ ନଜର ରଖିବେ।

Leave A Reply

Your email address will not be published.