Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ; ତୁରନ୍ତ କାର୍ଯ୍ୟରେ ଯୋଗ…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇଉଠିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିବା ସହ ସରକାରୀ ଛୁଟିଦିନ ଗୁଡ଼ିକୁ ମଧ୍ୟ ବାତିଲ କରିଦେଇଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ସରକାରୀ ଛୁଟି ବାତିଲ କରାଯାଇଛି। ଯେଉଁ ଅଧିକାରୀମାନେ ଛୁଟିରେ ଥିଲେ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାତ୍ୟା ପ୍ରଭାବିତ ହୋଇପାରୁଥିବା ଜିଲ୍ଲାଗୁଡ଼ିକର ପ୍ରଶାସନକୁ ୨୪ ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ମଧ୍ୟ ଆଶ୍ରୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ, ସୁରକ୍ଷିତ ପାନୀୟ ଜଳ ଏବଂ ଅତ୍ୟାବଶ୍ୟକ ଔଷଧର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିସହିତ ବର୍ତ୍ତମାନ ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କତା ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ବିଚଳିତ ହେବାର ଆବଶ୍ୟକତା ନାହିଁ । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସମସ୍ତଙ୍କ ନଜର ଆଇଏମଡିର ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ରହିଛି । ଆଧିକାରିକ ସୂଚନା ଆସିବା ପରେ ବାତ୍ୟାର ପ୍ରକୃତ ସ୍ଥିତି ଓ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ ।

ଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଅକ୍ଟୋବର ୨୪ ତାରିଖରେ ଏକ ଅବପାତର ରୂପ ନେବ। ଅକ୍ଟୋବର ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇଏକ ଗଭୀର ଅବପାତ କ୍ଷେତ୍ରରେ ପରିଣତ ହେବ ଏବଂ ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ଏକ ବାତ୍ୟାର ରୂପ ନେଇପାରେ। ଯଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ଏହାର ନାମ ‘ଅର୍ଣ୍ଣବ’ ରଖାଯିବ। ଅପରପକ୍ଷରେ ଏହି ନାମ ବାଂଲାଦେଶ ଦ୍ୱାରା ପ୍ରସ୍ତାବିତ ହୋଇଛି।

Leave A Reply

Your email address will not be published.