Latest Odisha News

BREAKING NEWS

ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଇ-ଯାନ ପଲିସି ସହ ୧୪ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।

ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ୍ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି । ୨୦୨୫ ସୁଦ୍ଧା ଅନ୍ୟୁନ ୨୦ ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ । ସେହିପରି ଓଡ଼ିଶା ବାଲି ନୀତି-୨୦୨୧କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଓଡ଼ିଶା ଭେଟେନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ । ସେହିପରି ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି ।

ସେହିପରି ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ବ୍ଲକ ହାତରେ ରହିବ । ପଂଚାୟତରାଜ ବିଭାଗ ଏଣିକି ଏସବୁ ଆଦର୍ଶ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ଓ ବିଡିଓମାନେ ଏହାର ମରାମତି କାର୍ଯ୍ୟ କରାଇବେ । ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ଏବେ ପ୍ରାୟ ୧୮୫ଟି ବ୍ଲକରେ ଆଦର୍ଶ ସ୍କୁଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହାସହ ଷ୍ଟିଲ୍‌ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍‌କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍‌ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି ।

Leave A Reply

Your email address will not be published.