Latest Odisha News

BREAKING NEWS

ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ବର : ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର । ଏନେଇ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଟିକା ଯେପରି ରାଜ୍ୟର ଲୋକେ ସୁବିଧାରେ ପାଇପାରିବେ, ସେଥିପାଇଁ ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏଣିକି ବିଦେଶୀ କମ୍ପାନୀଙ୍କ ଠାରୁ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାସହ କୋଭିଡ ଯୋଦ୍ଧାଙ୍କ କାମକୁ ଉଚ୍ଚ ପ୍ରଶଂସା କରିଛି ରାଜ୍ୟ କ୍ୟାବିନେଟ । ରାଜ୍ୟରେ ଯେପରି କରୋନା ସ୍ଥିତିକୁ ସ୍ବାଭାବିକ ସ୍ତରକୁ ଆଣାଯିବ ସେନେଇ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ଯେଉଁଥିପାଇଁ ବିଶ୍ବର ବିଭିନ୍ନ କମ୍ପାନୀଙ୍କ ଠାରୁ ଟିକା ସଂଗ୍ରହ ପାଇଁ ଏକ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯିବ ।

ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା- ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ ଲକଡାଉନ୍ ଆଦିରେ ରାଜ୍ୟବାସୀଙ୍କ ସହଯୋଗ କରିଥିବାରୁ କ୍ୟାବିନେଟ କୃତଜ୍ଞତା ଜଣାଇଛି । ଭବିଷ୍ୟତରେ କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ୟାବିନେଟ ଅନୁଭବ କରିଛନ୍ତି ।

ଇସ୍ରାଏଲ ପରି ଦେଶ ଯେଉଁମାନେ ଏବେ ନିଜ ଜନସଂଖ୍ୟାର ବୃହତ ଭାଗକୁ ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ତେଣୁ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ ଆଗଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି ।

କୋଭିଡ୍ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ମାଧ୍ୟମରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଟନ କରିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ସେହିପରି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.