Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍‌ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍‌ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କଲ୍ୟାଣକାରୀ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଅନୁସୂଚିତ ଜାତି (ଏସି) ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦୀ ସରକାରଙ୍କ ଶାସନର ମୂଳମନ୍ତ୍ର । ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତା । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ବା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଐତିହାସିକ ନିଷ୍ପତ୍ତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ ।

ସେହିପରି ଏହି ନିଷ୍ପତି ପାଇଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୬, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏସଇବିସି/ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ମେଡିକାଲ ଶିକ୍ଷାରେ ଏସସିମାନଙ୍କ ପାଇଁ ୧୬.୨୫% ଏବଂ ଏସଟିମାନଙ୍କ ପାଇଁ ୨୨.୫୦% କୁ ସଂରକ୍ଷଣ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏପ୍ରିଲ ୧୭, ୨୦୨୫ ତାରିଖରେ ମଧ୍ୟ ଶ୍ରୀ ପ୍ରଧାନ ଅନୁରୂପ ଭାବେ ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଶ୍ରୀ ମାଝୀଙ୍କୁ ଚିଠି ଲେଖିଥିଲେ । ଏହାବ୍ୟତୀତ ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଚିଠି ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ସଂରକ୍ଷଣ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ ।

ପ୍ରକାଶ ଥାଉ କି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ମେ ୧୪, ୨୦୨୫ରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ରାଜ୍ୟରେ ଶିକ୍ଷା କ୍ଷେତ୍ରରେ(ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା) ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିଲା ।

Leave A Reply

Your email address will not be published.