Latest Odisha News

କେନ୍ଦ୍ର ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଧିକାରୀ ଡ. କ୍ରିଷ୍ଣନ କୁମାରଙ୍କୁ ନିଯୁକ୍ତ କରିଛି।

୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ କ୍ରିଷ୍ଣନ କୁମାର ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ ଏନ୍ଏଚ୍ଆଇଡିସିଏଲର ନେତୃତ୍ୱ ନେବେ।

ଏନଏଚଆଇଡିସିଏଲର ସର୍ବକନିଷ୍ଠ ପରିଚାଳନା ନିର୍ଦ୍ଦେଶକ ଭାବରେ ସେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ନେତୃତ୍ୱ ନେବେ। ଡ. କୁମାରଙ୍କ ଚମତ୍କାର ଟ୍ରାକ୍ ରେକର୍ଡ ମଧ୍ୟରେ ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ ।

ପୂର୍ବରୁ ପୂର୍ତ୍ତ ବିଭାଗ ସଚିବ ଭାବେ ଓଡ଼ିଶାରେ ମେଗା ଭିତ୍ତିଭୂମି କାର୍ଯ୍ୟକ୍ରମ ପରିଚାଳନା କରି ସାରିଥିବା ଡ. କୁମାରଙ୍କ ଅଭିଜ୍ଞତା ରହିଛି। ବଡ଼ ପୋଲ, ଉଚ୍ଚସ୍ତରୀୟ ଓଭରପାସ୍ ଏବଂ ଟନେଲ ନିର୍ମାଣର ତଦାରଖ କରିବା ତାଙ୍କର ପୋର୍ଟଫୋଲିଓ ଅନ୍ତର୍ଭୁକ୍ତ।

ଶୁକ୍ରବାର  କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଏବଂ ସମକକ୍ଷ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛନ୍ତି। ଯେଉଁଥିରେ କ୍ରିଷ୍ଣନ କୁମାରଙ୍କ ସମେତ ଏକୋଇଶ ଆଇଏଏସ ରହିଛନ୍ତି।

ଓଡ଼ିଶା ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ୍ ଅଧିକାରୀ କ୍ରିଷନ କୁମାର କାର୍ଯ୍ଯ କରିଛନ୍ତି। ସେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ସେତୁ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ମାର୍ଚ୍ଚ ୭, ୨୦୨୨ରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ତାଙ୍କୁ ଦାୟିତ୍ବରୁ ମୁକ୍ତ କରାଯାଇଥିଲା। ପରେ ସେ କେନ୍ଦ୍ରୀୟ ଡେପୁଟେସନକୁ ଆସିଛନ୍ତି।

Leave A Reply

Your email address will not be published.