Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ ନୀତି, ବିଶାଳ ପଦ୍ମକେଶରରେ ଶୋଭାପାଇବ କଳାଶ୍ରୀମୁଖ

ପୁରୀ: ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଏ ବର୍ଷର ଏହି ଶୁଭ ଦିନଟି ହେଉଛି ଆଜି । ଆଜି ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହେବନାହିଁ। ପଦ୍ମ ବେଶରେ ରହି ରାତ୍ର ପହୁଡ଼ ହେବ। ମାଘ ମାସ ଅମାବାସ୍ୟାଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ ।

ପରମ୍ପରା ଅନୁଯାଇ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଆଜି ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟା ଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ ।  ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ । ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ଏହି ବେଶରେ ମହାପ୍ରଭୁଙ୍କୁ ୮୦ଟି ପଦ୍ମ, ଏକପଣ ଡାଳି, ୩ଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ ଓ ୪ଟି ହଂସ ଲାଗି ହେବ ।

 

 

Leave A Reply

Your email address will not be published.