Latest Odisha News

BREAKING NEWS

ଫେବୃଆରୀ ୬ରୁ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୬ରୁ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି ।

ଧଉଳି-କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥାନ୍ତି।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରାଯାଉଅଛି।

ବୁଦ୍ଧ ସମ୍ମାନ-
ଏହି ସମ୍ମାନଟି ଦୀର୍ଘ ୧୪ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରାଯାଉଅଛି । ପ୍ରତି ବର୍ଷ ଜଣେ ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଆଂଶିକ ଭାବରେ ରୁଚି ପ୍ରତିଭା ଫାଉଣ୍ଡେସନ, କଟକ ଓ ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ପ୍ରାୟୋଜିତ । ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ପ୍ରଖ୍ୟାତ ଓଡିଶୀ ସଙ୍ଗୀତ ବିଶାରଦ।

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ-
ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାୟିତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଛି।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ କେ. ରାମାରାଓ ପାତ୍ରୋ, ଖ୍ୟାତି ସମ୍ପନ୍ନ କର୍ଣ୍ଣାଟିକ ବୀଣା ବାଦକ; ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ପ୍ରଥିତଯଶା ଓଡିଶୀ ନୃତ୍ୟାଙ୍ଗନା; ଶ୍ୟାମହରି ଚକ୍ର, ବିଶିଷ୍ଟ ସାମ୍ବାଦିକ ଓ ଓଡିଶୀ ନୃତ୍ୟ ସମୀକ୍ଷକ ଏବଂ ମରଣୋତ୍ତର ଭାବେ ଶବ୍ଦ ଓ ସଙ୍ଗୀତ ବିନ୍ୟାସର ଯାଦୁକର ସ୍ଵର୍ଗତ ତାରାକାନ୍ତ ପଣ୍ଡା। ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.