Latest Odisha News

BREAKING NEWS

ସରିବ ମାର୍ଗଶୀର, ଆସିବ ପୌଷ, ଶେଷ ପାଳି ମାଣବସା ଗୁରୁବାରରେ ଘରେ ଘରେ ମହକୁଛି ପିଠାର ମହକ

ଭୁବନେଶ୍ଵର: ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ । ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣ୍ଣିତ ଅଛି ମାଙ୍କ ର ଟିକେ କୃପା ମିଳିଲେ ଗରିବ ଧନୀ ହୋଇଯାଏ । ଏ ପୂଜା ରେ କୌଣସି ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ ।

ଆଜି ଗାଁ ଠୁ ସହର ସବୁଠି ଘରେ ଘରେ ଗୁଞ୍ଜରିତ ହେଉଛି “ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ” । ଏଥିପାଇଁ ରାତି ଅଧରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ଘର ବାରଣ୍ଡାରେ ଭଳି କି ଭଳି ଚିତା ପରିବେଶକୁ ଆହୁରି ଆକର୍ଷଣୀୟ କରିଦେଉଛି । ଗତକାଲିଠୁ ଲୋକେ ଘରଦ୍ଵାର ସଫାସୁତୁରା କରି ଚିତା ପକାଇଛନ୍ତି । ଆଉ ଆଜି ଭୋରୁ ଭୋରୁ ଶଙ୍ଖନାଦ ଆଉ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ସେପଟେ ଘରେ ଘରେ ବାସୁଛି ଭଳିକି ଭଳି ସୁସ୍ଵାଦୁ ପିଠାର ମହକ । ଆରିସା, କାକରା, ସିଝା ମଣ୍ଡା, ଭଜା ମଣ୍ଡା, ସରୁ ଚକୁଳି, ବୁଢା ଛକୁଳି, ବରା, ଚିତଉ, ଛୁଞ୍ଚି ପତ୍ର ପିଠା ପରି ନା ନା ପ୍ରକାର ପିଠା ସହ କ୍ଷୀରି, ଶାଗ, ଦହିକଡି, ତରକାରୀ, ଖେଚୁଡି ପରି ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମହକି ଉଠୁଛି ପୁରପଲ୍ଲୀ ।

ସେପଟେ ମାର୍ଗଶୀର ମାସ ଶେଷ ହେବାକୁ ଆଉ ମାତ୍ର ଦିନ କେଇଟା । ଆସିବ ପୌଷ ମାସ । ସାରା ରାଜ୍ୟରେ ଶୀତ ଲହରୀ ଯେପରି ଭାବରେ ସକ୍ରିୟ ରହିଛି ତାହା ପୌଷ ମାସ ବେଳକୁ ଆହୁରୀ ବଢିବା ନେଇ ମଧ୍ୟ ଆଶା ରହୁଛି । ପୌଷ ମାସର ସୁଲୁସୁଲିଆ ଶୀତଳ ବାଆରେ ଧିରେ ଧିରେ ଶିତ ବଢି ବଢି ମାଘ ମାସରେ ବାଘ ପରି ଭୟଙ୍କର ହୁଏ । ଶୀତର ପ୍ରକୋପ ମାଘ ମାସର ଶେଷ ଆଡକୁ କମିଯାଇ ଫାଲଗୁନ ମାସ ଆରମ୍ଭ ବେଳକୁ ଅଦୃଶ୍ୟ ହୋଇଯାଏ । ଶୀତର ଏହି ସ୍ପର୍ଶକୁ ଦେଖି ଆଜିବି ମନେ ପଡେ କବି ମଧୂସୁଦନ ରାଓଙ୍କ ସେହି ଗୀତ-

“ହିମେ କାର୍ତ୍ତିକ ମାର୍ଗଶୀର

ରାତିରେ ପଡଇ ଶିଶିର

ଶୀତରେ ପୌଷ ମାଘ ମାସ

ଦେହରେ ରଖ ଶୀତ ବାସ”

Leave A Reply

Your email address will not be published.