ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ, ରଜମଉଜରେ ଉଠୁଛି ପଡୁଛି ପୁରପଲ୍ଲୀ ।
ରଜ କାହିଁକି ପାଳନ କରାଯାଏ ?
ଆଜିବି ଅନେକ ସ୍ଥାନରେ ଋତୁସ୍ରାବ ଏକ ଅକୁହା ପ୍ରସଙ୍ଗ । ରଜସ୍ବଳା ନାରୀ ଅପବିତ୍ର ଓ ଅଛୁଆଁ । ତାକୁ ଠାକୁର ଘରକୁ ମନା, ରୋଷଶାଳକୁ ମନା। କିଛି କିଛି ସ୍ଥାନରେ ଏହା ଆଜିବି ଏକ ବଡ ଟାବୋ । ସେହି ସମାନ ସମୟରେ କେତେକ ସ୍ଥାନରେ ଏହାକୁ ବହୁ ଆଡମ୍ବରରେ ପାଳନ କରଯାଏ । ଠିକ୍ ସେହିପରି ଓଡିଶାର ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ ରଜ ଏହି ବିଷୟବସ୍ତୁ ଉପରେ ଆଧାରିତ। ଯାହାକୁ ‘ରଜ’ ନାମରେ ନାମିତ କରଯାଇଛି । ରଜ, ରଜସ୍ବଳାରୁ ଆଦୃତ ଏକ ଶବ୍ଦ ଯାହା ଜଗନ୍ନାଥ ସଂସ୍କୃତିର ଏକ ନିଦର୍ଶନ ।
ରଜ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ବା ରଜସ୍ବଳା । ପ୍ରତିମାସରେ ନାରୀ ଯେପରି ରଜବତୀ ହୋଇଥାଏ, ଠିକ୍ ସେମିତି ବର୍ଷାର ଆଗମନରେ ମାତା ବସୁମତୀ ବା ପୃଥିବୀ ମାତା ରଜସ୍ବଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି।
ଏହା ମୁଖ୍ୟତଃ ଚାରି ଦିନ ପାଳନ କରାଯାଏ । ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମିଦାହ ବା ଭୂମି ଦହନ। ଏହି ତିନିଦିନିଆ ପର୍ବରେ ମାଟି ମା’କୁ ଆଘାତ ହେଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ। ଶେଷରେ ଚତୁର୍ଥ ତଥା ଅନ୍ତିମ ଦିନ ହେଉଛି ବସୁମତୀ ସ୍ନାନ। ଋତୁଚକ୍ରର ଶେଷ ଦିନରେ ଯେଭଳି ନାରୀ ହଳଦୀ ପାଣିରେ ସ୍ନାହ କରି ମନ୍ଦିର, ଠାକୁର ଘର ଓ ରୋଷଶାଳକୁ ପ୍ରବେଶ କରେ ଠିକ୍ ସେହିପରି ଚତୁର୍ଥ ତଥା ଅନ୍ତିମ ଦିନରେ ହଳଦୀ ପାଣିରେ ବସୁମତୀ ସ୍ନାନ କରାଯାଇ କୃଷି କାର୍ଯ୍ୟ ଆରମ୍ଭ ହୁଏ।
ସେଥିପାଇଁ ଏହି ତିନି ଦିନ ଝିଅ ମାନେ କୌଣସି କାମ କରନ୍ତି ନାହିଁ କି ମନ୍ଦିର ମଧ୍ୟ ଯାଆନ୍ତି ନାହିଁ । ଏହା ନାରୀର ମାସିକ ସ୍ବାଭାବିକ ପ୍ରକ୍ରିୟାକୁ ଏକ ସମ୍ମାନ । ଯାହା ପ୍ରତିବର୍ଷ ପ୍ରାୟ ଜୁନ୍ ମାସର ୧୪, ୧୫ ଏବଂ ୧୬ ତାରିଖରେ ପଡିଥାଏ । ଏହି ଦିନ ଓଡିଶାର ଝିଅମାନେ ପୃଥିବୀ ମାତାର ରଜସ୍ବଳାକୁ ପାଳନ କରନ୍ତି । ଏହି ୩ ଦିନ ସମୟରେ ନା ଝିଅମାନେ କିଛି କାଟନ୍ତି ନା କିଛି ବାଟନ୍ତି । ଏହା ସହିତ ଖାଲି ପାଦରେ ମଧ୍ୟ ଚାଲନ୍ତି ନାହିଁ । କଦଳୀ ପାଟୁକା ପିନ୍ଧି ଚାଲନ୍ତି ।
ଏହି ପର୍ବରେ ସବୁଠୁ ମୁଖ୍ୟ ଖାଦ୍ୟ ହେଉଛି ପୋଡ ପିଠା । ଅନେକ ପିଠାପଣା ଘରେ ଘରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସବୁଠୁ ବେଶୀ ମୋନମୋହିଥାଏ ରଜର ପୋଡ ପିଠା । ଏହା ସହିତ କେହି କେହି ମୁଆଁ, କାକରା ଇତ୍ୟାଦି ପିଠା ମଧ୍ୟ କରନ୍ତି ।
Comments are closed.