ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର ଆୟୋଜନ ହୋଇଛି । ଦିଲ୍ଲୀପ ଏକାଧାରକେ ଜଣେ ହକି ଖେଳାଳି, ରାଜନେତା ଓ ଖେଳ ପ୍ରଶାସକ । ମୋଷ୍ଟ ଡିଫିକାଲ୍ଟ ଡିଫେଣ୍ଡର ହୋଇଥିବାରୁ ଦିଲ୍ଲୀପଙ୍କୁ ସାରା ବିଶ୍ୱ ‘ଦ ଓ୍ୱାଲ୍ ଅଫ୍ ଇଣ୍ଡିଆନ୍ ହକି’ ଭାବେ ଜାଣନ୍ତି । ସେ ନନ୍-କଣ୍ଟେସ୍ଟେଡ୍ ହକି ଇଣ୍ଡିଆ ଫେଡେରେସନ ପ୍ରେସିଡେଣ୍ଟ ହୋଇପାରିଛନ୍ତି ।
Thank you @sambitmohapatr2 Mohapatra bhai for reviving the memories of my life which I always cherish in the presence of @arvindpadhee ji at Bhubaneswar pic.twitter.com/fxcQkHGdtJ
— Dilip Kumar Tirkey (@DilipTirkey) November 24, 2022
ସେ ୨୦୦୪ରେ ପଦ୍ମଶ୍ରୀ, ୨୦୦୨ରେ ଅର୍ଜୁନ ଆଓ୍ୱାର୍ଡ, ୧୯୯୬ରେ ଏକଲବ୍ୟ ଆଓ୍ୱାର୍ଡ, ୧୯୯୮ରେ ଓଏନଜିସି-ହକି ଇୟର ବୁକ୍ ଆଓ୍ୱାର୍ଡ, ୨୦୦୪ରେ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସପର୍ସନ ଆଓ୍ୱାର୍ଡ, ୨୦୦୯ରେ ରିକୋ ହକି ଷ୍ଟାର ଅଫ୍ ଦ ଇୟର୍, ୨୦୧୨ରେ ସୋକେସ୍ ଓଡ଼ିଶା ଆଓ୍ୱାର୍ଡ, ୨୦୨୨ରେ ଉଡ଼ାନ ୨ୟ ଏଡିସନରେ ସ୍ପୋର୍ଟ୍ସ ଏକ୍ସେଲେନ୍ସ ଆଓ୍ୱାର୍ଡ ପାଇଥିଲେ ।
୨୦୦୨ରେ ଭାରତୀୟ ହକି ଟିମର କ୍ୟାପଟେନ ହୋଇଥିଲେ ଦିଲ୍ଲୀପ । ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ଖେଳାଳି ଭାରତୀୟ ହକି ଟିମର କ୍ୟାପଟେନସିପ୍ ଦାୟିତ୍ୱ ନେଇଥିଲେ । କ୍ୟାପଟେନ ହେବା ପରେ ସେ ଦେଶ ପାଇଁ ୨୦୦୨ ଏସିଆନ୍ ଗେମ୍ସରେ ରୌପ୍ୟ ଓ ୨୦୦୩ ଆଫ୍ରୋ-ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
୧୯୯୫ରେ ପ୍ରଥମେ ସେ ଇଂଲଣ୍ଡ ପାଇଁ ହକି ଖେଳିଥିଲେ । ଜଣେ ଆଦିବାସୀ ହକି ଖେଳାଳି ଭାବେ ସେ ଭାରତ ପାଇଁ ତିନି ଥର ଅଲମ୍ପିକ୍ସ ଖେଳିଛନ୍ତି । ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଳି ଭାବେ ସେ ପ୍ରଥମ ।
ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦିଲ୍ଲୀପଙ୍କ ମାଆଙ୍କ ନାମ ରେଜିନା ତିର୍କୀ । ବାପା ଭିନସେଣ୍ଟ ତିର୍କୀ ସିଆରପିଏଫ୍ ପକ୍ଷରୁ ହକି ଖେଳୁଥିଲେ । ଦୁଇ ଭାଇ ଅନୁପ ତିର୍କୀ ଓ ଅଜିତ୍ ତିର୍କୀ ମଧ୍ୟ ଭାରତୀୟ ରେଲଓ୍ୱେ ପକ୍ଷରୁ ହକି ଖେଳନ୍ତି । ପତ୍ନୀ ହେଉଛନ୍ତି ମମତା ତିର୍କୀ । ଦିଲ୍ଲୀପ ୧୯୯୬ରେ ଏୟାର ଇଣ୍ଡିଆରେ ଡେପୁଟୀ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ ।
ସେ ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ବିଜୁ ଜନତା ଦଳରେ ରହି ସେ ରାଜନୈତିକ କ୍ୟାରିଅର ଜାରି ରଖିଛନ୍ତି । ଓଟିଡିସିର ଅଧ୍ୟକ୍ଷ ଭାବେ ରହିଥିଲେ । ଏବେ ସେ ଓଡ଼ିଶା ହକି ପ୍ରୋମୋସନ୍ କାଉନସିଲର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ତାଙ୍କ ନାଁରେ ସ୍ପୋର୍ଟ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡି) ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ସେଣ୍ଟର ରହିଛି, ଯାହାକୁ ହକି ଓ ଏହାର ଖେଳାଳିଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ।
ମେ’ ୨ ତାରିଖ ୨୦୧୦ରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ । ୨୦୧୦ରେ ସେ ଓଲିଉଡ ଫିଲ୍ମ ‘ତୋର ମୋର କଥା ହେବା ଚୁପ୍ ଚାପ୍’ରେ ଅଭିନୟ କରିଛନ୍ତି । ‘କୋଟିଆ ସ୍ୱପ୍ନ’ ନାମକ ଫିଲ୍ମରେ ସେ ଅଭିନୟ କରିବେ । ତାଙ୍କର ବାୟୋପିକ୍ ମଧ୍ୟ ହେବାକୁ ଯାଉଛି ।
Comments are closed.