Latest Odisha News

BREAKING NEWS

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୋଟିଏ ପଟେ ତଦନ୍ତ ଜୋରଦାର କରିଛି । ଏହି ସମୟରେ ବିଧାନସଭା ଅଧିବେଶନ ଚାଲିଛି । ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ଏହା ବାଦ୍ ଚାଷ-ଚାଷୀ ଓ ଦାଦନ ସମସ୍ୟା ନେଇ ବିରୋଧୀ ସରକାରଙ୍କୁ ଘେରିପାରନ୍ତି ।

ଦୁର୍ନୀତି ବିରୋଧୀ ଓ ୫ଟି ସରକାରର ଅନେକ ବିଧାୟକ,ନେତା ଓ ମନ୍ତ୍ରୀ ନାଗଫାଶ କେଳେଙ୍କାରୀରେ ସମ୍ପୃକ୍ତ ଦର୍ଶାଇ ଗୃହରେ ସରକାରଙ୍କ ବିବୃତି ଦାବି କରିପାରନ୍ତି ବିରୋଧୀ । ଶାସକ ବିଜୁ ଜନତା ଦଳର ଭ୍ରଷ୍ଟ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ମୁହଁ ଖୋଲିବେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଥମ ଦିନରେ ଅନେକ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ବିରୋଧୀଙ୍କ ସ୍ୱରକୁ ଆହୁରି ଖୋରାକ୍ ଯୋଗାଇଛି । ଗତକାଲି ୨୦୨୨-୨୩ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି, ହେଲେ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଧିବେଶନକୁ ଏଡ଼ାଇବାକୁ ବିରୋଧୀ ନିନ୍ଦା କରିଛନ୍ତି ।

କେବଳ ଶାସକ କଳ, ନୁହେଁ ପୋଲିସ ଉପରେ ବି ବିରୋଧୀ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ରାଜଧାନୀ ଉପରେ ଏତେ ବଡ଼ ତଥା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଚାଲିଥିଲା, ପୋଲିସ ତାହା ଜାଣିନଥିଲା ନା ଜାଣିଶୁଣି ଚୁପ୍ ଥିଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ତେଣୁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଆଜି  ଗୃହ ହୁଲୁସ୍ତୁଲ ହୋଇପାରେ । ଦ୍ୱିତୀୟ ଦିନରେ ବି ବିରୋଧୀ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ବାଚସ୍ପତିଙ୍କ ରୁଲିଂ ଦାବି ଉପରେ କାଏମ୍ ରହିପାରନ୍ତି ।

 

Leave A Reply

Your email address will not be published.