Latest Odisha News

BREAKING NEWS

ଆଜି ରସଗୋଲା ଦିବସ : ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

ଭୁବନେଶ୍ୱର : ଆଜି ରସଗୋଲା ଦିବସ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ ଗୁରୁତ୍ୱ ରହିଛି । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ହେଉଛି ବଡ଼ଦେଉଳର ୬୦୦ରୁ ଅଧିକ ବର୍ଷର ପୁରୁଣା ବିଧି । ସେଥିପାଇଁ ପ୍ରତିବର୍ଷ ନୀଳାଦ୍ରିବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ୯ଦିନର ରହଣି ପରେ ବାହୁଡା ଦଶମୀ ଦିନ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି ଜଗନ୍ନାଥ । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନକୁ ଫେରନ୍ତି । ଏହାକୁ ନୀଳାଦ୍ରିବିଜେ କୁହାଯାଏ । ରଥାଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ଯେତେବେଳେ ଯାତ୍ରା ସାରି ଶ୍ରୀମନ୍ଦୀରକୁ ଚତୁର୍ଦ୍ଧାମୂରତି ଫେରନ୍ତି ସେତେବେଳେ ଦେଢଶୁର ଓ ନଣନ୍ଦଙ୍କୁ ବାଟ ଛାଡିଥିଲେ ବି ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କ ପାଇଁ ଜୟବିଜୟ ଦ୍ୱାରକୁ ବନ୍ଦ କରି ଦିଅନ୍ତି ମା’ ମହାଲକ୍ଷ୍ମୀ । ତେଣୁ ମା’ଙ୍କର ଅଭିମାନକୁ ଶାନ୍ତ କରିବାକୁ ପାଟ ଶାଢୀ ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି ମହାପ୍ରଭୁ ।

ରସଗୋଲା ଦିବସ, ରସଗୋଲାର ପରିଚୟ ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ହେଉଥିବା ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ସୋସିଆଲ ମିଡିଆରେ ଏହାର ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଥିଲା । ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

Leave A Reply

Your email address will not be published.