Latest Odisha News

BREAKING NEWS

ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି, ଟ୍ୱିଟ କରି ଶୋକବ୍ୟକ୍ତ କଲେ ଲେଖାଶ୍ରୀ

ଭୁବନେଶ୍ୱର: ଆକାଉଣ୍ଟ ଜେନେରାଲ ପ୍ରିନସିପାଲ ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ସ୍ଥାନୀୟ ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ ) ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟେ ତାଙ୍କ ବିୟୋଗରେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ ଲେଖିଛନ୍ତି, ‘ଓଡ଼ିଶାର ପ୍ରଧାନ ମହାଲେଖାକାର ତଥା ମୋର ଭାଇ ସଦୃଶ ଶ୍ରୀ ଅନନ୍ତ କିଶୋର ବେହେରାଙ୍କ ବିୟୋଗରେ ମୁଁ ଅତିଶୟ ମର୍ମାହତ। ସେ ଜଣେ ସୁଦକ୍ଷ ପ୍ରଶାସକ ହେବା ସହିତ ସେ ଜଣେ ଅତି ଅମାୟିକ ଓ ପରୋପକାରୀ ଭଦ୍ରବ୍ୟକ୍ତି ଥିଲେ । ମୋର ଦିର୍ଘ ଦିନର ସମ୍ପର୍କ ଭିତରେ ମୁଁ ତାଙ୍କୁ କେବେବି କୌଣସି ପରିସ୍ଥିତିରେ ବିଚଳିତ ହେବାର ଦେଖି ନାହିଁ। ପ୍ରଭୁ ଜଗନ୍ନାଥ ଏଇ ବିଷମ ପରିସ୍ଥିତି ରେ ପରିବାରକୁ ସାହା ହୁଅନ୍ତୁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’

ଆକାଉଣ୍ଟସ୍ ସେବାର ବରିଷ୍ଠ ଅଧିକାରୀ ଅନନ୍ତ କିଶୋର ବେହେରାଙ୍କ ଜନ୍ମ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ହୋଇଥିଲା । ଅନନ୍ତ କିଶୋର ଭାରତୀୟ ଅଡିଓ ଓ ଆକାଉଣ୍ଟସ୍ ବିଭାଗରେ ଅନେକ ପଦବୀରେ ସେବା ପ୍ରଦାନ କରିଛନ୍ତି। ସେ ଉଭୟ ଦେଶ ଓ ବିଦେଶରେ ଆକାଉଣ୍ଟ୍ସ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ତେବେ ତାଙ୍କ ଦେହାନ୍ତରେ ତାଙ୍କ ପରିବାର ମଧ୍ୟରେ ଶୋକର ମାହୋଲ ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନନ୍ତ କିଶୋରଙ୍କ ସହକର୍ମୀମାନେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

Comments are closed.