Latest Odisha News

BREAKING NEWS

ନବରାତ୍ରୀ ୨୦୨୩: ନୂଆପଡା ଇଷ୍ଟଦେବୀ ମାଁ ସମଲେଶ୍ବରୀ ଓ ଗଡ଼ଦେବୀ ମାଁ ରକ୍ତାମ୍ବରୀଙ୍କ ପୀଠରେ ନବଦିନାତ୍ମ ପୂଜା

ନୂଆପଡା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ବିଭିନ୍ନ ଶକ୍ତିପୀଠ ଗୁଡିକରେ ମା’ଙ୍କ ଶାରଦୀୟ ନବଦିନାତ୍ମ‌‌‌ ପୂଜା ଆରମ୍ଭ ହୋଇଯାଇଛି। ନୂଆପଡା ଜିଲ୍ଲାର ପୁରୁଣା ସହର ଖଡ଼ିଆଳ ଠାରେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଓ ଗଡ଼ଦେବୀ ମାଁ ରକ୍ତାମ୍ବରୀଙ୍କ ଠାରେ ନବଦିନାତ୍ମ‌‌‌ପୂଜାର୍ଚ୍ଚନା ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ରାଜାପଡା ଶାରଦୀୟ ଦୁର୍ଗାପୂଜା ଓ ପଟ୍ଟନାୟକ ପଡ଼ା ଠାରେ ନାବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ନଅ ଦିନ ଚାଲିବ । ଶେଷ ରେ ଐତିହାସିକ ଯୋଡି ଛତର ଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ରହାରେ ଶାରଦୀୟ ରୀତିନୀତି ଅନୁସାରେ ଖଣ୍ଡାଧୂଆ ଓ କଳସପୂଜା ପରେ ପ୍ରଥମ ଦିନ ମା’ଙ୍କୁ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇ ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇ ଯାଇଛି । ନବରାତ୍ରୀ ଆରମ୍ଭ ସହ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ବିଭିନ୍ନ ମଣ୍ଡପକୁ ଚାନ୍ଦି ମେଢ଼ ସହ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜା ଯାଇଛି । ରାଜପଣ୍ଡିତଙ୍କ ଶ୍ଲୋକ ସହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଖଡିଆଳରେ ଦୁର୍ଗାପୂଜା ରାଜା ରାଜୁଡ଼ା ଶାସନ ଅମଳରୁ ପାଳିତ ହୋଇ ଆସୁଛି । ଗତବର୍ଷରୁ ପୂଜା ମଣ୍ଡପରେ ବଳି ପ୍ରଥାକୁ ବନ୍ଦ କରାଯାଇଥିବା ବେଳେ ମଣ୍ଡପରେ ତାମସିକ ଢଙ୍ଗରେ ମାଆଙ୍କୁ ପୂଜା କରାଯାଉଛି ।

ପୁରୁଣା ଗଡ଼ଜାତ ଅଞ୍ଚଳ ଖଡ଼ିଆଳ । ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳୀ । ଏହି ମାଟିରେ ତନ୍ତ୍ର ପୂଜାର ମଧ୍ୟ ପ୍ରଭାବ ରହିଛି । ଏଠାରେ ଥିବା ରକ୍ତାମ୍ବରୀ ଓ ସମଲେଶ୍ୱରୀ ମନ୍ଦିରରେ ତନ୍ତ୍ର ଉପାସନା ବିଧି ରହିଛି । ଚୌହାନ ବଂଶୀୟ ରାଜାଙ୍କ ଅମଳରୁ ଏହା ଚଳି ଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ଦଶହରାରେ ମାଆଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ରୀତିନୀତି ଅନୁସାରେ ଉଭୟ ମାଆଙ୍କୁ ଅଖଣ୍ଡ ଦୀପ ପ୍ରଜ୍ଵଳନ କରି ବୋଦା ବଳି ଦିଆଯାଏ । ପ୍ରତିବର୍ଷ ଦଶହରା ମହାଳୟା ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମାଆ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଦଶମୀ ଦିନ ଉଭୟ ଦେବୀଙ୍କ ଯୋଡ଼ି ଛତର ଯାତ୍ରା ସମ୍ପନ୍ନ କରି ପୁଣି ଶକ୍ତି ପୀଠକୁ ଫେରି ଯାଆନ୍ତି । ଗତ କିଛି ବର୍ଷ ଅପେକ୍ଷା ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଅନୁମାନକୁ ଦୃଷ୍ଟିରେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.