Latest Odisha News

BREAKING NEWS

ନବଦୁର୍ଗା : ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"

ଯା ଦେବୀ ସର୍ବ ଭୂତେଷୁ…

ମାତୃ ରୁପେଣ ସଂସ୍ଥିତା…

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ..

ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା କରିବେ । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ ।

ଶୈଳପୁତ୍ରୀ

ମାଆ ଦୁର୍ଗାଙ୍କର ପ୍ରଥମ ସ୍ବରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା ।

ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହୋଇ ଶୈଳପୁତ୍ରୀ ନାମରେ ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ।

ମାଆଙ୍କ ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଆଙ୍କ ଏହି ସ୍ବରୂପ ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର୍ଯ୍ୟ, ଆଶା ଏବଂ ବିଶ୍ବାସର ସହ ଆଗକୁ ବଢିବାକୁ ପ୍ରରଣା ଦେଇଥାଏ । ମାଆଙ୍କ ଶ୍ବେତ ସ୍ବରୂପ ଆମକୁ ସତ୍ ପ୍ରବୃତି ପାଇଁ ମାର୍ଗଦର୍ଶନ କରିଥାଏ । ମାଆ ବୃଷଭ ଉପରେ ବିଦ୍ୟମାନ । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍ ପ୍ରବୃତି ହିଁ ଧର୍ମ । ଯାହା ଆମକୁ ସତ ପଥରେ ଯିବା ପାଇଁ ସନ୍ଦେଶ ଦେଇଥାଏ । ବାମ ହାତରେ ପଦ୍ମ ଆମକୁ ପବିତ୍ର କାମ କରିବାକୁ ସନ୍ଦେଶ ଦେଇଥାଏ । ଡାହାଣ ହାତରେ ଥିବା ତ୍ରିଶୂଳ ମଣିଷ ମଧ୍ୟରେ ଥିବା ଦୈହିକ, ଦୈବିକ ଏବଂ ଭୌତିକ ବିକୃତିକୁ ନଷ୍ଟ କରିଥାଏ ।

Leave A Reply

Your email address will not be published.