Latest Odisha News

BREAKING NEWS

ବନ୍ୟା ସମୀକ୍ଷା କରି ୭ ଦିନ ଲାଗି ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବନ୍ୟା ପ୍ରଭାବିତ ୩ଟି ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରବାଭିତ ଅଞ୍ଚଳରେ ୭ ଦିନ ଲାଗି ରିଲିଫ ଘୋଷଣା କରିଛନ୍ତି ।

ଆଜି ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ପ୍ରଭାବିତ ଲୋକମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନ ଲାଗି ରିଲିଫ ଘୋଷଣା କରିଛନ୍ତି । ଏବାବଦରେ ପ୍ରୌଢ ବ୍ୟକ୍ତିମାନଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ ପ୍ରଦାନ କରାଯିବ ।

ସେହିପରି ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣାରେ ଚିକିତ୍ସା ସହିତ ଟୀକାକରଣ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।

ଏହି ସମୀକ୍ଷାରୁ ଜଣାଯାଇଛି ଯେ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୭ଟି ବ୍ଲକ, ୪ଟି ପୌରପରିଷଦ ଏବଂ ୯୦୩ଟି ଗାଁ’ର ସାଢେ ସାତ ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୫୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ୪୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହାସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.