ଭୁବନେଶ୍ୱର: ଭୁବନେଶ୍ୱରର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଏବଂ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣ କନିଷ୍ଠ ସହାୟକ ଓ ୧୪ ଜଣ ଅମିନ ଏବଂ ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ। ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ । ଏଣୁ ଆପଣମାନଙ୍କ ପରି ଯୁବ ଏବଂ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ହିଁ ଲୋକମାନେ ଏହି ପଦକ୍ଷେପ ଗୁଡିକର ସୁଫଳ ପାଇବାକୁ ସକ୍ଷମ ହେବେ।
ସେ ଆହୁରି ମଧ୍ଯ କହିଛନ୍ତି ଯେ, ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତଙ୍କୁ ନିଜ ନିଜ ବିଭାଗରେ ଖାଲିଥିବା ଖାଲି ପଦାକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଦୁଇ ବର୍ଷରେ ଆମେ ୬୫ ହଜାର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତିବଦ୍ଧ। କେବଳ ସରକାରୀ କ୍ଷେତ୍ରରେ ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି।
ଫଳ ସ୍ୱରୂପ ଗତ ୯ ମାସ ମଧ୍ୟରେ ଆମେ ୭ ଥର ନିଯୁକ୍ତି ମେଳାର ଆୟୋଜନ କରି ବିଭିନ୍ନ ବିଭାଗରେ ୨୪ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ। ଆଜି ଅଷ୍ଟମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ୫ ଟି ବିଭାଗର ୮୧୨ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮ ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଓ ଆୟୁର୍ବେଦର ପ୍ରସାର ପାଇଁ ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ପ୍ରାକୃତିକ ଚିକିତ୍ସା ଓ ଯୋଗର ପ୍ରସାର ହେବ। ଏହା ସହିତ ଆୟୁଷ ଚିକିତ୍ସା ପଦ୍ଧତିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜାତୀୟ ଆୟୁଷ ମିଶନ ଦ୍ୱାରା ୫୦ ଶଯ୍ୟା ବିଶିଷ୍ଟ ୩ଟି ସମନ୍ବିତ ଆୟୁଷ ଚିକତ୍ସାଳୟ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ଖୁବଶୀଘ୍ର ସ୍ଥାପନ କରାଯିବ।
ରାଜ୍ୟର ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଆମର ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଓଡ଼ିଶାରେ ଏକ National Institute of Pharmaceutical Education and Research ଏବଂ All India Institute of Speech and Hearing ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିଷ୍ଠାନ ଗୁଡ଼ିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧୈର୍ଯ୍ୟ, ସହିଷ୍ଣୁତା, ଦକ୍ଷତାର ସହ କାର୍ଯ୍ୟ କରିବା ଏବଂ ନିଜ କଠିନ ପରଶ୍ରମକୁ ଅବ୍ୟାହତ ରଖିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ନିଯୁକ୍ତିପତ୍ର ପାଇଥିବା ସମସ୍ତ ବିଭାଗର ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଆଶ୍ଵଥି ଏସ ଧନ୍ୟବାଦ ଦେଇଥିଲେ।
Comments are closed.