Latest Odisha News

BREAKING NEWS

ବଜେଟ୍ ୨୦୨୪-୨୫: ପୁରୁଣା ଯୋଜନାକୁ ହଟାଇ ଲାଗୁ ହେଲା ନୂତନ ଯୋଜନା, ଜାଣନ୍ତୁ କାହାକୁ ମିଳିଲା କେତେ?

ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୋହନ ସରକାରଙ୍କ ଏହା ପ୍ରଥମ ବଜେଟ। ଜାଣନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ କେଉଁ ବିଭାଗକୁ କେତେ ବ୍ୟୟବରାଦ କରାଯାଇଛି…

କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଢିଛି ବଜେଟର ଆକାର । ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି । ସେହିପରି ଏବେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀମାନଙ୍କ ପାଇଁ ନୂଆ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନୂତନ ଯୋଜନାର ନାଁ ରହିଛି ‘ସିଏମ୍‌ କିଷାନ’ ଯୋଜନା । ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଛି । ତେବେ ଦୀର୍ଘଦିନ ନବୀନ ସରକାରଙ୍କ ଆହାର ଯୋଜନାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ଆହାର ଯୋଜନାକୁ ବନ୍ଦ କରି ଶ୍ରୀଅନ୍ନ ଯୋଜନା ଲାଗୁ କରିଛନ୍ତି ମୋହନ ସରକାର । ଏହି ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି ।

ଅନ୍ୟପଟେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକରୀ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଓଡ଼ିଶା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୭ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଛି । ବଜେଟ ଅଧିବେଶନରେ ଓଡ଼ିଶାରେ ଖୁବ ଶୀଘ୍ର ରାଜ୍ୟ ସମବାୟ ନୀତି ଆସିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ କରାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି ବ୍ୟୟବରାଦ କରାଯାଇଛି । ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ହୋଇଛି ।

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଲାଗୁ ହେବ ‘ଯଶୋଦା’ ଯୋଜନା । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଲାଗୁ କରାଯାଇଛି । ଏହି ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରହିଛି । ସେହିପରି ସାମାଜିକ ସୁରକ୍ଷା ଭତ୍ତା ବଢାଯାଇ ୩ ହଜାର ୫ଶହ ଟଙ୍କା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ମାନେ ମଧ୍ୟ ପାଇବେ ଏହି ବର୍ଦ୍ଧିତ ଭତ୍ତା । ତେବେ ରାଜ୍ୟରେ ନବୀନ ସରକାର ଲାଗୁ କରିଥିବା ବିଏସକେୱାଇ ଯାଗାରେ ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର । ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ । ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି । ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ କରିଛନ୍ତି । କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ବ୍ୟବରାଦ କରାଯାଇଛି । ତେବେ ଏ ବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଯୋଜନା କରାଯିବ । ଆରବର୍ଷ ଫୁଲବାଣୀ ଓ ୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବଦଳିଛି ମୋ ସ୍କୁଲ ନାଁ । ମୋ ସ୍କୁଲ ବଦଳି ତା’ ସ୍ଥାନରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂହ ହାତ ଖର୍ଚ୍ଚ’ ଘୋଷଣା କରାଯାଇଛି । ଏହି ଯୋଜନା ଅଧିନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା । ଅନ୍ୟପଟେ ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରି । ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବ୍ୟୟବରାଦ କରାଯାଇଛି । ନିମ୍ନ ଆୟକାରୀ ପରିବାରକୁ ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗୁ କରାଯାଇଛି । ପିଏମ୍‌ ଆବାସ ପାଉନଥିବା ହିତାଧିକାରୀମାନେ ପାଇବେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭ ଉଠାଇପାରିବେ । ହଟିଲା ‘ଆମ ଓଡିଶା, ନବୀନ ଓଡିଶା’ । ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ମଧ୍ୟ ନୂଆ ଯୋଜନା ଲାଗୁ କରିଛନ୍ତି ସରକାର  । ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ କରାଯାଇଛି । ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି ।

୨୦୨୭ ସୁଦ୍ଧା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ କରାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଚାଲିବ ମେଟ୍ରୋ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬୨୫୬ କୋଟିର ବ୍ୟୟବରାଦ କରାଯାଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା ମିଳିବ ।ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି । ସେହିପରି ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ଦେବ କେନ୍ଦ୍ର । ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟରେ ସୌରଶକ୍ତି ପ୍ରୋତ୍ସାହନ ଯୋଜନା କରାଯାଇଛି । ସେପଟେ ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ଉତ୍କର୍ଷ ଉତ୍କଳ କରାଯାଇଛି । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ର ଲକ୍ଷ୍ୟ ରଖାଯାଇଛି । ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବାର ଯୋଜନା ରହିଛି । ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ ରଖାଯାଇଛି । 

 

 

 

 

 

 

Comments are closed.