Latest Odisha News

ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା

ଭୁବନେଶ୍ୱର  : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ତେବେ ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ ।

ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5-T ସଚିବ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣ ଓ  ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ,  ଉଦ୍ୟାନ, ପାର୍କିଂ, ମହାନଦୀ କୂଳର ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।
Leave A Reply

Your email address will not be published.