Latest Odisha News

BREAKING NEWS

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଡ଼ିଜିଟାଲ୍ ସମ୍ପନ୍ନ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ବ୍ୟବହୃତ କିଛି ଜିନିଷ ଗୁଡ଼ିକୁ ନେଇ ୬ଟି ଗ୍ୟାଲେରୀ ରହିଛି । ଏହି ସଂଗ୍ରହାଳୟଟି ଆଦିତ୍ୟ ବିରଳା ଗ୍ରୁପ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାପିତ ହୋଇଛି ।

ଏହି କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ଆଦିତ୍ୟ ବିରଳା ଗ୍ରୁପର ସହଯୋଗ ଲାଗି ଧନ୍ୟବାଦ ଦେବା ସହିତ ସାଧୁବାଦ ଜଣାଇଛନ୍ତି । ଏହି କେନ୍ଦ୍ର ଦ୍ୱାରା ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ଉପକୃତ ହେବା ସହିତ ମହାତ୍ମା ଗାନ୍ଧୀଙ୍କ ମହାନ ଆଦର୍ଶରେ ଅନୁପ୍ରାଣୀତ ହେବାରେ ଏହି କେନ୍ଦ୍ର ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

“ଭାରତ ୧୯୪୭ରେ ସ୍ୱାଧୀନତା ହାସଲ କରିଥିଲା । ଏହି ସମୟରେ ଅହିଂସା ହି ମୁଖ୍ୟ ଆୟୁଧ ଥିଲା । ଏଥିରେ ପ୍ରକୃତ ଭାରତୀୟତା ଥିବା ସହିତ ସମଗ୍ର ବିଶ୍ୱ ଏହି ଅହିଂସା ମାର୍ଗକୁ ଗ୍ରହଣ କରିଥିଲା । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ସମ୍ବିଧାନରେ ରହିଥିବା ଅହିଂସା ଅବଲମ୍ବନକୁ ଅଗ୍ରାଧିକାର ଦେଇପାରିଲେ ଏହା ହିଁ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି ଗାନ୍ଧୀ ଶାନ୍ତି କେନ୍ଦ୍ର ମହାତ୍ମା ଗାନ୍ଧୀଙ୍କୁ ଜାଣିବାରେ ବିଭିନ୍ନ ଅନୁଷ୍ଠାନ ତଥା ଅନୁସନ୍ଧିତ୍ସୁମାନଙ୍କୁ ଯଥେଷ୍ଟ ପ୍ରେରଣା ଯୋଗାଇଦେବ ବୋଲି ମୋର ଦୃଢ ଆଶା ।” ମୁଖ୍ୟ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ।

ଏହି କେନ୍ଦ୍ରରେ ନିର୍ମିତ ହୋଇଥିବା ‘ସେଲ୍ଫି ଜୋନ୍‌’ ଏବଂ ‘ଅହିଂସା ସ୍ତମ୍ଭ’ ହିଁ ଏଠାରେ ଏବେ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ।

ଏଠାରେ ମଲଟିମିଡ଼ିଆ ଶୋ’ ମାଧ୍ୟମରେ ଗାନ୍ଧିଜୀଙ୍କ ସତ୍ୟରେ ଆଧାରିତ ଆଦର୍ଶ ଓ ବାଣୀ, ଅହିଂସା, ଜୈନଧର୍ମର ନୀତି ସମ୍ପର୍କରେ ଅବଗତ କରାଯିବ । ଏହି ଶୋ’ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଯାଏଁ ପ୍ରଦର୍ଶିତ ହେବ ।

ଏନେଇ ଓଡ଼ିଶା ସରକାର ଆଦିତ୍ୟ ବିରଳା ଗ୍ରୁପ ସହିତ ୨୦୧୭ରୁ ଏକ ୧୫ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହାକୁ ଏଟରନାଲ୍ ଗାନ୍ଧୀ ପିସ୍ ସେଣ୍ଟର୍ ଭାବେ ନାମିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.