ଭୁବନେଶ୍ବର: କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମ୍ବନ୍ଧୀୟ ଘୋଷଣା ଆଜି ରାଜ୍ୟ ସରକାରଙ୍କ ତରଫରୁ କରାଯାଇଛି ।
ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ ।
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ । ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ । ପ୍ରତି ୩ ମାସରେ ଥରେ “ଶକ୍ତି ଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ ।
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ “୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ”ର ଆୟୋଜନ କରାଯିବ । ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ । ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ ।
“ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ । କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ । କୌଣସି ଏମରଜନ୍ସି ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ ତୁରନ୍ତ ସାହାଯ୍ୟ ପାଇପାରିବେ ଏବଂ ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ (Code of Conduct) ଲାଗୁ ହେବ । ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଏକ ବାର୍ଷିକ ଅନଲାଇନ୍ଟ୍ରେନିଂ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ ଯାହାଦ୍ୱାରା ସମସ୍ତଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମାନତା ଓ ସମ୍ବେଦନଶୀଳତା ତଥା ପ୍ରୋଫେସନାଲ ଏଥିକ୍ସ ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ ।
ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ SAFE (Shakti Shree Actions for Female Empowerment) କ୍ୟାମ୍ପେନ୍ର ଆୟୋଜନ କରାଯିବ । ଏହି କ୍ୟାମ୍ପେନ୍ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ, ଯାହାକି ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବ ।
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତିଟି କଲେଜ ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଧା ପ୍ରଦାନ କରିବେ । କ୍ୟାମ୍ପସ ସୁରକ୍ଷାକୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପତକାଳୀନ ସ୍ଥିତିର ମୁକାବିଲା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହିଥିବା ଭିତ୍ତିଭୂମି ଆଦି ସମ୍ବନ୍ଧରେ ସବିସ୍ତୃତ ବିବରଣୀକୁ ଉକ୍ତ ରିପୋର୍ଟରେ ସ୍ଥାନିତ କରାଯିବ ।
ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା ମନିଟରିଙ୍ଗ କରାଯାଇପାରିବ । ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ । କଲେଜରେ ରହିଥିବା ଇଣ୍ଟରନାଲ କମିଟିର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ ।
କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ UGC ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ ।
ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ ଦିବସୀୟ କର୍ମଶାଳା “ଶକ୍ତି ସ୍ୱରୂପିଣୀ”ର ଆୟୋଜନ କରାଯିବ। ଉକ୍ତ କର୍ମଶାଳାରେ ମହିଳାମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ । ମହିଳାଙ୍କ ସୁରକ୍ଷାକୁ ନେଇ ରହିଥବା ବିଭିନ୍ନ ଦିଗ ସମ୍ବନ୍ଧରେ ସଚେତନ କରାଇବା, ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଠାରୁ ନେଇ ଶକ୍ତିଶ୍ରୀ ମୋବାଇଲ ଆପ୍ର ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହାକି ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସୁଚାରୁ ରୂପେ ପରିଚାଳିତ ହୋଇପାରିବ ।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ ” ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ।
Comments are closed.