Latest Odisha News

BREAKING NEWS

କେନ୍ଦୁଝରରେ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ

୧୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ବଳଭଦ୍ରପୁରଠାରେ ୨୦୨୬ ଫେବୃଆରୀ ୧୪ ତାରିଖରେ ଏକ ଆଧୁନିକ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି କାରଖାନା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଦ୍ୱାରା ତାହାର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‌ଆର) ପ୍ରୟାସସମୂହର ଅଂଶ ଭାବରେ ବିକଶିତ କରାଯିବ। ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ଜମି ଯୋଗାଇ ଦେଇଛନ୍ତି। ଯାହା ଖଣିଜ ପଦାର୍ଥରେ ସମୃଦ୍ଧ ଏବଂ ପଛୁଆ ଅଞ୍ଚଳଗୁଡିକରେ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଉପରେ ସରକାରଙ୍କ ଦୃଷ୍ଟିନିବଦ୍ଧକୁ ପ୍ରତିଫଳିତ କରୁଛି।

ଏହି କାରଖାନା କାର୍ଯ୍ୟକ୍ଷମ ହେବାପରେ ଏହା ପ୍ରାୟ ୧୨୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରିବା ଆଶା କରାଯାଉଛି ଏବଂ ଏହା ବିଶେଷକରି ମହିଳା ଓ ଯୁବବର୍ଗଙ୍କ ସମେତ ସ୍ଥାନୀୟ ଜନତାଙ୍କ ପାଇଁ ଇଲ୍ଲେଖନୀୟ ଫାଇଦା ଆଣିଦେବ। ଏହି କାରଖାନା ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ଉତ୍ପାଦନ ବ୍ୟବସ୍ଥାରେ ସୁସଜ୍ଜିତ ହେବ। ଯାହା ଏକ ନିରାପଦ ଓ ସମାବେଶୀ କାର୍ଯ୍ୟସ୍ଥଳ ପରିବେଶ ବଜାୟ ରଖିବା ସହିତ ଗୁଣାତ୍ମକ ଉତ୍ପାଦନ ମାନକକୁ ସୁନିଶ୍ଚିତ କରିବ। କାରଖାନା ମଧ୍ୟରେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସହିତ ପରିବହନ, ଯୋଗାଣ ଶୃଙ୍ଖଳ ପରିଚାଳନା ଏବଂ ସ୍ଥାନୀୟ ସ୍ତରରେ ଉତ୍ପାଦ ସଂଗ୍ରହ ଭଳି ଆନୁଷଙ୍ଗିକ ସେବାଗୁଡିକ ଦ୍ୱାରା ଉକ୍ତ ଅଞ୍ଚଳରେ ଅତିରିକ୍ତ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବା ସମ୍ଭାବନା ରହିଛି।

କାରଖାନାର ଭିତ୍ତପ୍ରସ୍ତର ସ୍ଥାପନ ଉତ୍ସବରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଦିଗରେ ହିଣ୍ଡାଲ୍‌କୋର ନିରନ୍ତର ଅବଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଖଣିଜ ପଦାର୍ଥ ଥିବା ଜିଲ୍ଲାଗୁଡିକୁ ବିବିଧକୃତ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ରୂପାନ୍ତରିତ କରିବାକୁ ସରକାରଙ୍କ ଦୂରଦୃଷ୍ଟି ସହିତ ମେଳ ଖାଉଛି । “ଏହି ପୋଷାକ କାରଖାନା ଆମର ୧୨୦୦ ଯୁବବର୍ଗ ଓ ମହିଳାଙ୍କ ନିମନ୍ତେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବା ସହିତ ପରିବାରଗୁଡିକର ଆୟରେ ଉନ୍ନତି ଆଣିବ। ଏହି କାରଖାନାରୁ ପ୍ରତିବର୍ଷ ୨୪ ଲକ୍ଷ ପୋଷାକ ଉତ୍ପାଦିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ରାଜ୍ୟ ସହିତ ଅଂଶୀଦାର ନିମନ୍ତେ ସେ ହିଣ୍ଡାଲ୍‌କୋକୁ ଧନ୍ୟବାଦ ଜଣାଇଥିଲେ”।

ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ଲୁଇ ଫିଲିପ, ଭାନହୁ୍ୟସେନ୍‌, ଅଲେନସୋଲି ଏବଂ ପିଟର ଇଂଲଣ୍ଡ ଭଳି ବ୍ରାଣ୍ଡ୍‌ଗୁଡିକର ପୋଷାକ ଏଠାରେ ଉତ୍ପାଦିତ ହେବ ଏବଂ ବିଶ୍ୱ ବଜାରକୁ ବିକ୍ରି ନିମନ୍ତେ ପଠାଯିବ। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପ ଏହି ପ୍ରକଳ୍ପ ଖଣି ଓ ଭାରି ଧାତୁ ଉତ୍ପାଦନ ଊଦ୍ଧ୍ୱର୍ରେ ମୂଲ୍ୟଯୁକ୍ତ ଶିଳ୍ପଗୁଡିକୁ ପରିବ୍ୟାପ୍ତ କରିବା ନିମନ୍ତେ ଓଡ଼ିଶାର ପ୍ରଶସ୍ତ ଲକ୍ଷ୍ୟକୁ ସମର୍ଥନ କରୁଛି।

ସେହିପରି ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଅଦେ୍ର୍ଧନ୍ଦୁ ମହାପାତ୍ର, ପ୍ରେସିଡେଣ୍ଟ କର୍ପୋରେଟ ଆଫେୟାର୍ସ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଥିଲେ ଯେ, କମ୍ପାନୀ ତାହାର ବ୍ୟବସାୟ ପରିଚାଳନା ଅଞ୍ଚଳଗୁଡିକରେ ଗୋଷ୍ଠୀଗୁଡିକୁ ସଶକ୍ତ କରିବା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବା ବଜାୟ ରଖିଛି। “ଏହି ପୋଷାକ ଉତ୍ପାଦନକାରୀ କାରଖାନା ଆମର ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ଗୁଡିକ ସୃଷ୍ଟି କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମେ ଓଡ଼ିଶା ସରକାରଙ୍କୁ ତାଙ୍କର ସମର୍ଥନ ନିମନ୍ତେ କୃତଜ୍ଞତା ଜଣାଉଛୁ ଏବଂ ସ୍ଥାନୀୟ ଜନସମୁଦାୟଙ୍କ ସହିତ ନିବିଡ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ ରଖୁଛୁ” ବୋଲି ସେ କହିଥିଲେ। କେନ୍ଦୁଝର କାରଖାନା ଓଡ଼ିଶାରେ ହିଣ୍ଡାଲ୍‌କୋର ବର୍ଦ୍ଧନଶୀଳ ଜୀବିକା ଉପାର୍ଜନ ପ୍ରୟାସଗୁଡିକ ସହିତ ଆଉ ଏକ ଯୋଗ ହୋଇଛି। ଟିକିରିରେ ଆଉ ଏକ ପୋଷାକ ଉତ୍ପାଦନ କାରଖାନା ନିର୍ମାଣାଧୀନ ରହିଛି ଏବଂ ସମ୍ବଲପୁରରେ ଅନୁରୂପ ଏକ କାରଖାନା ସ୍ଥାପନ ଯୋଜନା ରହିଛି । ସମ୍ମିଳିତ ଭାବରେ ଏହି ପ୍ରକଳ୍ପଗୁଡିକ ବିଶେଷଭାବରେ ପଛୁଆ ବର୍ଗଙ୍କ ସମେତ ଅନ୍ୟମାନଙ୍କ ପାଇଁ ଦକ୍ଷତା ବିକାଶକୁ ସୁଦୃଢ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଡ. ପ୍ରଦୀପ କୁମାର ରାଉତ, ଓଏଏସ (ଏସଏସ) ସିଇଓ – ଓକାକ୍ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଅଖିଳ ଚରଣ ନାୟକ, ବିଧାୟକ ପାଟଣା, ଡ. ଫକିର ମୋହନ ନାୟକ, ବିଧାୟକ ତେଲକୋଇ ଏବଂ ଲିକୁ ସାହୁ, ଚେୟାରପର୍ସନ, କେନ୍ଦୁଝର ପୌରପାଳିକା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.