Latest Odisha News

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫାଷ୍ଟ ଡେ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ୨୨ଦିନ ପରେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ଅଫିସ ଚାଲିଥିଲା। ତେବେ ଗୁରୁବାରଠାରୁ ସେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ନିଜ ପ୍ରକୋଷ୍ଠରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚ୍ୟାମ୍ବରରେ ବସୁଥିଲେ, ସେଠାରେ ହିଁ ମୋହନ ମାଝୀ ବସିଛନ୍ତି । ତେବେ ବସିବା ସ୍ଥାନ ବଦଳାଯାଇଛି ।

ଏଥର ଓଡିଆରେ ସରକାରୀ କାମ

ସରକାରୀ କାମ ଓଡିଆ ଭାଷାରେ ହେବ । ସରାକାରୀସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ବ୍ୟାପକ କରାଯିବ । ଦରକାର ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ ଓ ସରଳ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ । ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଓଡିଆ ଭାଷାର ପ୍ରସାର ପାଇଁ ଭାଷା କମିଶନ ଗଠନ ସହ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ ।

ପ୍ରଥମ ଦିନରେ ଓଡିଆ ଅସ୍ମିତାର ସ୍ବର

ଓଡିଆ ଭାଷା ସହ କଳା ସଂସ୍କୃତିକୁ ବି ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ପାଇଁ ପଦକ୍ଷେପ ନିଆଯିବ। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ। ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ସବୁ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ସେହିପରି ବରୁଣେଇଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ କାମ ତ୍ୱରାନ୍ୱିତ ହେବ । ରାଜ୍ୟର ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦିଆଯିବ । ଏଥିସହ ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଆଉ କଣ କରାଯିବା ଦରକାର, ସେନେଇ ଲୋକଙ୍କୁ ପ୍ରସ୍ତାବ ମାଗିଛନ୍ତି ମୋହନ ମାଝୀ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ଲାନ୍

ପ୍ରଥମ ଦିନରେ ହିଁ ଆକ୍ସନ୍ ମୋଡରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶା ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟାର ସାମନା କରେ । ତେଣୁ ବର୍ଷା ଦିନ ଚାଲିଥିବାରୁ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଥମ ଦିନରେ ହିଁ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋହନ ସରକାର ଆଗରେ ବଡ଼ ଚ୍ୟାଲେଞ୍ଜ

ନିର୍ବାଚନ ବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା ବିଜେପି। ନିର୍ବାଚନ ଫଳାଫଳ ପ୍ରକାଶର ଠିକ୍ ମାସକ ପରେ ଲୋକସେବା ଭବନକୁ ଏଣ୍ଟ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ପ୍ରଥମ ଦିନରେ ହିଁ ଓଡିଆ ଭାଷା, କଳା ଓ ସଂସ୍କୃତିକୁ ଫୋକସ୍ କରିଛନ୍ତି । ତେବେ ନୂଆ ସରକାରଙ୍କଠାରୁ ଜନତାଙ୍କର ଅନେକ ଆଶା ରହିଛି । ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କେବେ ହେବ? ତାକୁ ଅପେକ୍ଷା ରହିଛି । ୨୪ବର୍ଷ ଧରି ବିଜେଡି ସରକାରରେ ଦୁର୍ନୀତି ବିରୋଧରେ କହି କ୍ଷମତାକୁ ଆସିଛି ବିଜେପି। ତେଣୁ ଖଣି ହେଉ କି ଚିଟଫଣ୍ଡ କିଭଳି ଆକ୍ସନ୍ ନେଉଛନ୍ତି ମୋହନ ସରକାର? ତାଉପରେ ନଜର ରହିଛି । ବିଜେଡି କ୍ଷମତାରୁ ଯିବା ପରେ ଦଳର ଅନେକ ହେଭିଓ୍ବେଟ ନେତାଙ୍କ ନାଁରେ ଗଣମାଧ୍ୟମରେ ସଂଗୀନ ଅଭିଯୋଗ ଆସିଲାଣି। ବଲ୍ଲେ ବଲ୍ଲେ ଢାବା ହେଉ କି କୁସୁମା ବଙ୍ଗଳା, ଏସବୁର ନିରପେକ୍ଷ ତଦନ୍ତ ବି ହେବା ଜରୁରୀ । ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି ବିଜେପି । ତେଣୁ ମୋହନ ସରକାରର ପ୍ରତିଟି କାମ ଉପରେ ଜନତାଙ୍କ ନଜର ରହିଛି । ଓଡିଆ ଅସ୍ମିତାକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଉଛି । ତେବେ ଦୁର୍ନୀତି ବିରୋଧରେ ବି ଆକ୍ସନ୍ ସେତିକି ଜରୁରୀ । କାର୍ଯ୍ୟପାଳିକାକୁ ଆହୁରି କ୍ରିୟାଶୀଳ କରିବା ସହ ରାଜ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ବି ଆବଶ୍ୟକ ।

Leave A Reply

Your email address will not be published.