Latest Odisha News

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ ତ୍ବରିତ ନ୍ୟାୟ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସୋମବାର ଦିଆଯାଇଥିବା ଉତ୍ତର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଥିଲେ । ଏହାକୁ ନେଇ ଜୋରଦାର ହୋଇଥିଲା ରାଜନୀତି ।

କାଲି କହିଥିଲେ ଆଜି ବୁଲେଇଲେ !

ବିଧାନସଭାରେ ବଲାଙ୍ଗୀର ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କର କୌଣସି ପ୍ରସ୍ତାବ ଅଛି କି ବୋଲି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଯଥାର୍ଥତା ନଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଥିଲେ । ତେବେ ଉତ୍ତରକୁ ନେଇ ବିରୋଧ ତେଜିବା ପରେ ମଙ୍ଗଳବାର ଗୃହରେ ବିବୃତ୍ତି ଦେଇ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବିଚାରାଧୀନ କେତେଦିନ ରଖିବେ। ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗୃହରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ବିଜେଡି ବିଧାୟକ କଳିକେଶ ସିଂହଦେଓ ଦାବି କରିଛନ୍ତି । ସେପଟେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆବଶ୍ୟକତା ରହିଛି । ସରକାର ବିଚାର ବିମର୍ଶ କରି ନିଷ୍ପତି ନେବେ ବୋଲି ବିଜେପି କହିଛି ।

ବିରୋଧୀଙ୍କ ଟାର୍ଗେଟରେ ବିଜେପି

ପୂର୍ବରୁ ବିରୋଧୀ ସିଟରେ ଥିବା ବିଜେପି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସମର୍ଥନ କରୁଥିବା ବେଳେ ଏବେ ସରକାରକୁ ଆସିବା ପରେ ଦଳର ୟୁଟର୍ଣ୍ଣକୁ ଜୋରଦାର ବିରୋଧ କରିଥିଲେ ବିଜେଡି ଓ କଂଗ୍ରେସ । ବିଜେପି ଭିତରୁ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସ୍ବର ଉଠିଥିଲା । ବିଜେପି ପଶ୍ଚିମ ଓଡିଶା ସହ ବିଶ୍ବାସଘାତକତା କରିଥିବା ବିଜେଡି କହିଥିଲା। କଂଗ୍ରେସ ବି ସିଧାସଳଖ ଟାର୍ଗେଟ୍ କରିଛି । ବିରୋଧୀ ଦଳରେ ଥିବା ବେଳେ ବିଜେପି ଆନ୍ଦୋଳନକୁ ସମର୍ଥନ କରୁଥିଲା, ହେଲେ ସରକାରକୁ ଆସିବା ପରେ କେମିତି ବଦଳିଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

କ’ଣ କହିଥିଲେ ସୁପ୍ରିମକୋର୍ଟ?

ରାଜ୍ୟର ବିଭିନ୍ନ ଭାଗରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଦୀର୍ଘ ଦିନ ହେଲା ହୋଇଆସୁଛି। ଗତ ବିଜେଡି ସରକାର ସମୟରେ ଦାବିକୁ ନେଇ ଆଇନଜୀବୀମାନେ ଜୋରଦାର ଆନ୍ଦୋଳନ କରିଥିଲେ । ପଶ୍ଚିମରୁ ଦକ୍ଷିଣ ଓଡିଶା ଯାଏଁ ଦାବିକୁ ନେଇ ଜୋରଦାର ହୋଇଥିଲା ତାତି। ତେବେ ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ ରାଜ୍ୟର ବିଭିନ୍ନ ଭାଗରେ ହେଉଥିବା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପୂର୍ଣ୍ଣଚ୍ଛେଦ ଲଗାଇଥିଲେ । ଏବେକାର ଟେକ୍ନୋଲୋଜି ଯୁଗରେ ରାଜ୍ୟର ଯେକୌଣସି ଜିଲ୍ଲା କୋର୍ଟରେ ରହି ଜଣେ ଓଡିଶା ହାଇକୋର୍ଟରେ କେସ୍ ଫାଇଲ୍ କରିବା ସହ ହାଜର ହୋଇପାରିବ। ତେଣୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନଥିବା କୋର୍ଟ କହିଥିଲେ ।

ବିଜେପି ସରକାରଙ୍କ ୟୁଟର୍ଣ୍ଣ

ବିରୋଧୀ ଦଳରେ ଥିବା ବେଳେ ବିଜେପି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଥିଲା । ସେତେବେଳର ବରଗଡ ସାଂସଦ ସୁରେଶ ପୂଜାରୀ ସଂସଦରେ ପ୍ରସଙ୍ଗ ଉଠାଇଥିଲେ । ଏହାପରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗିବା ସହ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନଥିବା କହିଥିଲେ। ଫଳରେ ବିଜେଡି ସରକାରଙ୍କର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ତରିକତା ନଥିବା ବିଜେପି କହିଥିଲା । ସେପଟେ ହାଇକୋର୍ଟ ବେଞ୍ଚ ପାଇଁ ଯାହା ଭିତ୍ତିଭୂମୀ ଦରକାର ତାକୁ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବି କେନ୍ଦ୍ର ଆଗଭର ହେଉନଥିବା ବିଜେଡି କହିଥିଲା।

ବିଜେଡି ସରକାର ବେଳେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଫସିଥିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛନ୍ତି । ତେଣୁ ଦୋଷ ଠେଲାଠେଲିର ଅବକାଶ ହିଁ ନାହିଁ । ପଶ୍ଚିମ ଓଡିଶାଠାରୁ କଟକ ହାଇକୋର୍ଟର ଦୂରତା ୩ଶହରୁ ୫ଶହ କିଲୋମିଟର । ଫଳରେ ଗରିବ ଲୋକ ନ୍ୟାୟ ପାଇଁ ହଇରାଣ ହେଉଛନ୍ତି । ଟେକ୍ନୋଲୋଜିର ପ୍ରସାର ଯୋଗୁଁ ଭର୍ଚୁଆଲ କୋର୍ଟ ସମ୍ଭବ ହୋଇଥିଲେ ବି ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନେଇ ପୂର୍ବରୁ ସ୍ବର ଉଠାଉଥିଲେ ବିଜେପି ନେତା ।

Comments are closed.