Latest Odisha News

BREAKING NEWS

SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ ହେବ ଡିସେମ୍ବରରେ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବ୍ ଶୀଘ୍ର ପୁଣି ଥରେ ବୈଠକ ବସିବ ।

କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଚାଲିଥିବା ମେଗା ପୁନଃବିକାଶ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।

ଏସସିବି ମେଡିକାଲ ପରିସରରେ ୪ଟି ନୂତନ କ୍ଲିନିକାଲ୍ ଏବଂ ଗୋଟିଏ ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆବାସିକ ବ୍ଲକର ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବାବେଳେ କ୍ଲିନିକାଲ୍ ବ୍ଲକ ଗୁଡିକ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା। ଏହା ସହିତ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଖୁବ୍‌ ଶୀଘ୍ର ସ୍ଥାନ ନିରୂପଣ କରି ପ୍ରସ୍ତାବ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର ପାର୍କିଂ (MLCP) ଏବଂ ହସ୍ପିଟାଲର ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ମେଡିକାଲ ପରିସରକୁ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ଡାକ୍ତରମାନଙ୍କ ପାଇଁ ଯାତାୟାତ ଓ ପାର୍କିଂ ବ୍ୟବସ୍ଥାକୁ ସୁଗମ କରିବା ଏହି ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ।

ଏହି ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏସସିବିକୁ ଆସୁଥିବା ହଜାର ହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇଦେବା ପାଇଁ କ୍ଲିନିକାଲ ବ୍ଲକଗୁଡ଼ିକର ନୂତନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ହସ୍ପିଟାଲ ସଂଲଗ୍ନ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସୁସଜ୍ଜିତ କରିବା, ଚଉଡ଼ା ରାସ୍ତା ନିର୍ମାଣ କରିବା ଏବଂ ସୌନ୍ଦର୍ଯ୍ୟକରଣ କରି ମନୋରମ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର ପାର୍କିଂ (MLCP) ଏବଂ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ କରିଡର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ପାର୍କିଂ ବ୍ୟବସ୍ଥା ଦ୍ୱାରା ଏସସିବି ଏବଂ ନିକଟସ୍ଥ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ।

ଏଥିସହିତ ମେଡିକାଲ ସଂଲଗ୍ନ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଏବଂ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ (Maritime Museum) ଅଞ୍ଚଳଗୁଡ଼ିକର ସମନ୍ୱିତ ପାର୍ଶ୍ୱବର୍ତ୍ତୀ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମଧ୍ୟ ଏଥିସହିତ ସଂଯୋଜିତ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣବତ୍ତା ବଜାୟ ରଖି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.